ବରଗଡ଼, (ନିରୋଜ କୁମାର ପାଣୀ) : ରବିବାର ଦିନ ସନ୍ଧ୍ୟା ୫ ଘଣ୍ଟା ସମୟରେ ବିଦ୍ୟୁତ ଉପଭୋକ୍ତା ସଂଘର ଏକ ସାଧାରଣ ବୈଠକ ସଂଘର ସମ୍ପାଦକ ସର୍ଦାର ପ୍ରୀତମ ସିଂହଙ୍କ ସଭାପତିତ୍ୱରେ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଦସ୍ୟମାନେ ବିଦ୍ୟୁତ ସମ୍ପର୍କୀୟ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ମୁଖ୍ୟତଃ, ମିଟର ରିଡିଂ ଏକ ମାସ ଅନ୍ତରରେ କରା ନ ଯାଇ ୩୫/୩୬ ଦିନ ଅନ୍ତରରେ ଦେଉଥିବା ଓ ସ୍ଥାନ ବିଶେଷରେ ଦୁଇ ମାସର ରିଡିଂ ଏକା ଥରେ ନିଆ ଯାଉଥିବାରୁ ଗ୍ରାହକକୁ ଉଚ୍ଚତମ ସ୍ଲାବ (ଟ.୫.୯୦)ରେ ଅତିରିକ୍ତ ଦିନର ତଥା ଥରକରେ ଦୁଇ ମାସର ବିଲ୍ ଦେବାକୁ ପଡୁଛି । ଦ୍ୱିତୀୟତଃ, ବିଲ୍ର ପ୍ରିଣ୍ଟ ସହ ମିଟର ରିଡିଂର ପ୍ରିଣ୍ଟ ମେଳ ନ ଖାଇ ଓଭରଲାପିଂ ଯୋଗୁଁ ଗ୍ରାହକ ଦିଆଯାଉଥିବା ବିବରଣୀ କିଛି ବୁଝି ପାରୁନାହିଁ । ତୃତୀୟତଃ ଶୀତଦିନରେ ଶୀଘ୍ର ଅନ୍ଧାର ହେଉଥିବାରୁ, ଷ୍ଟ୍ରିଟ ଲାଇଟଗୁଡିକ ଅନ୍ଧାର ହେବା ପୂର୍ବରୁ ଜଳାଇବା ଆବଶ୍ୟକ । ଚତୁର୍ଥତଃ, ଅନେକ ଅଞ୍ଚଳରେ ଏବେ ମଧ୍ୟ ଲୋ ଭୋଲ୍ଟେଜ୍ ରହୁଥିବା ତଥା ବାରମ୍ବାର ଟ୍ରିପ ନେବା ଉପରେ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଜନସାଧାରଣଙ୍କ ପ୍ରତିବାଦ ସତ୍ତ୍ୱେ ବିଦ୍ୟୁତଶୁଳ୍କ ବୃଦ୍ଧିକରି ମଧ୍ୟ ଗ୍ରାହକମାନଙ୍କ ସମସ୍ୟାପ୍ରତି ଗୁରୁତ୍ୱ ନ ଦେବା ବାସ୍ତବିକ କ୍ଷୋଭର ବିଷୟ । ଆଗାମୀ ସପ୍ତାହରେ ବିଦ୍ୟୁତ ଉପଭୋକ୍ତା ସଂଘର ଏକ ପ୍ରତିନିଧିଦଳ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କ ସହ ସାକ୍ଷାତ କରି ଗ୍ରାହକଙ୍କ ସମସ୍ୟାଗୁଡିକୁ ଅବଗତ କରାଇ ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାପାଇଁ ଦାବି କରାଯିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ବୈଠକରେ ପ୍ରମୁଖ ସଦସ୍ୟ ମନୋରଞ୍ଜନ ସାହୁ (ମନମାଷ୍ଟ୍ରେ), କୃଷ୍ଣଚନ୍ଦ୍ର ପଣ୍ଡା, ସୁରସେନ ବହିଦାର, ଲିପସିତ ମିଶ୍ର, କମଳ ଯୋଶୀ, ସନ୍ତୋଷ ପଣ୍ଡା, ବିଭୁତି ଭୂଷଣ ସାହୁ, ଶ୍ରୀମତୀ ଦିପ୍ତୀମୟୀ ମିଶ୍ର, ଶ୍ରୀମତୀ ପ୍ରୀତି ଗୁରୁ ଚର୍ଚ୍ଚାରେ ଅଂଶ ଗ୍ରହଣ କରିଥିଲେ ।