ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକୋତ୍ସବ ଆଲୋକବର୍ତିକା ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ମୁଖ୍ୟ ପୃଷ୍ଠପୋଷକ ଭାବରେ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରବନ୍ଧକ ଡ. ନୃପରାଜ ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦେଇ, ଆଲୋକବର୍ତିକା ନାମ କରଣର ଯଥାର୍ଥତାକୁ ଉଚ୍ଚପ୍ରଶଂସା କରିବା ସହ ନାରୀଶିକ୍ଷାର ଗୁରୁତ୍ଵ ଉପରେ ତାଙ୍କର ଅଭିଭାଷଣ ମାନ ପ୍ରଦାନ କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ନାଥ ସମାଜ ପ୍ରତି ଛାତ୍ରୀ ମାନଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ।ସାଂସ୍କୃତିକ ସଂପାଦିକା ସୁଶ୍ରୀ ସଙ୍ଗୀତା ଗୌନ୍ତିଆ ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଅକ୍ଷୟ ବାରିକଙ୍କ ନିର୍ଦ୍ଦେଶନାରେ ଏକାଙ୍କିକା କଲା ଗ୍ରାମ ମଞ୍ଚସ୍ଥ ହୋଇଥିଲା ଓ ଛାତ୍ରୀ ମାନଙ୍କ ଦ୍ଵାରା ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା । ଦ୍ୱିତୀୟ ଅଧିବେଶନରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନାରୀ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରି କହିଥିଲେ ଆମେ ଏମିତି କିଛି କାମ କରିଯିବା ଯେଉଁଥି ପାଇଁ ସମାଜ ଆମକୁ ଚିରଦିନ ମନେ ରଖିବ । ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଉଭୟ ଅଧିବେଶନରେ ଅଧ୍ୟକ୍ଷାଙ୍କ ଦ୍ଵାରା ବରେଣ୍ୟ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ସାଂସ୍କୃତିକ ସନ୍ଧ୍ୟାରେ ଅଧ୍ୟାପକ ଧୀରେନ୍ଦ୍ର ବର୍ଗେଙ୍କ ନିର୍ଦ୍ଦେଶିତ ଏକାଙ୍କିକା ଶାଶୁମା ସହ ଦୁଲ୍ ଦୁଲି, ଢେମ୍ସା ଓ ଲାବଣୀ ନୃତ୍ୟ ଦର୍ଶକଙ୍କ ମନମୋହି ନେଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡ. ଚନ୍ଦ୍ରିକା ଭୋଇ ପରିଚାଳନା କରିଥିଲେ ଓ ଅଧ୍ୟାପିକା ସରିତାରାଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

Leave A Reply

Your email address will not be published.