ଅବ୍ୟବସ୍ଥାରେ ଗୁରୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

  • ପ୍ରଧାନ ଶିକ୍ଷକଙ୍କ ମନମାନି ଯୋଗୁଁ ଶ୍ରେଣୀ କୋଠରୀରେ ଚାଉଳ ବସ୍ତା ବାହାରେ ଛାତ୍ରଛାତ୍ରୀ
  • ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ
  • ବିପଦରେ କୁନିକୁନି ଛାତ୍ରଛାତ୍ରୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁରୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅତ୍ୟନ୍ତ ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଛି । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର ମଧ୍ୟ ରହିଛି କିନ୍ତୁ ପ୍ରଧାନଶିକ୍ଷକ ଭୁମନ୍ୟୁ ବାଗଙ୍କ ମନମାନି ଯୋଗୁଁ ମଧ୍ୟାହ୍ନ ଭୋଜନ ପାଇଁ ରଖିଥିବା ଚାଉଳ, ଡାଲିକୁ ରୋଷେଇ ଗୃହରେ ପର୍ଯ୍ୟାପ୍ତ ଜାଗା ଥିବା ସତ୍ତ୍ୱେ ସେଠି ନ ରଖି ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଶ୍ରେଣୀ କୋଠରୀରେ ରଖୁଛନ୍ତି । ଯଦ୍ୱାରା କି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟ ରହୁଛି । ୫୦ କେଜି ବିଶିଷ୍ଟ ଚାଉଳ ଅଖା କୁନିକୁନି ଶିଶୁଙ୍କ ପାଖେ ରହୁଥିବାରୁ କେତେବେଳେ ଯେ କଣ ଅଘଟଣ ଘଟିବ ଓ ସାପ କିମ୍ବା ଅନ୍ୟ ବିଷାକ୍ତ ସରୀସୃପର ଭୟ ରହୁଛି ବୋଲି ଚିନ୍ତାରେ ଅଭିଭାବକ ଅଭିଯୋଗ କରିଛନ୍ତି । ନିକଟରେ ତୁରେକେଲା ବ୍ଲକରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଘଟଣା ମନରୁ ନ ଲିଭୁଣୁ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ କେତେ ସୁରକ୍ଷିତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପଟେ ଶିକ୍ଷା ବିଭାଗର ଜିଲ୍ଲା କିମ୍ବା ବ୍ଲକ ଅଧିକାରୀ ବିଦ୍ୟାଳୟମାନଙ୍କୁ ନିୟମିତ ପରିଦର୍ଶନ କରୁ ନ ଥିବାରୁ ଓ ସିଆର୍‌ସିସି ମାନଙ୍କ ଉପରେ ପରିଦର୍ଶନ କାର୍ଯ୍ୟ ନ୍ୟସ୍ତ କରିଥିବାରୁ ବିଦ୍ୟାଳୟ ମାନଙ୍କରେ ଏଭଳି ଅବ୍ୟବସ୍ଥା ପରିଲକ୍ଷିତ ହେଉଛି ବୋଲି ଅଭିଯୋଗ ହେଉଛି । ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଭୁମନ୍ୟୁ ବାଗଙ୍କୁ ପଚାରିବାରୁ କୋଠରୀ ନ ଥିବାରୁ ଏହା ରଖିଛୁ ବୋଲି ପ୍ରତିକ୍ରିୟା ରଖିଥିଲେ । ବିଇଓ ଶାନ୍ତନୁ କୁମାର ପଢ଼ିହାରୀଙ୍କ ସହ ଫୋନ ଯୋଗେ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା । ଶିକ୍ଷା ବିଭାଗର ଢିଲା ବ୍ୟବସ୍ଥା ଯୋଗୁଁ ଅନେକ ସ୍କୁଲରେ ଏଭଳି ସମସ୍ୟା ଲାଗିରହିଥିବା ଜଣାପଡିଛି । କିଛି ବଡ଼ ଅଘଟଣମାନ ଘଟିବା ପୂର୍ବରୁ ବ୍ଲକର ଗୁରୁଣ୍ଡା ସମେତ ବିଭିନ୍ନ ସ୍କୁଲର ଏଭଳି ସମସ୍ୟାର ସମାଧାନ କରିବା ପାଇଁ ଅଭିଭାବକମାନେ ଦୃଢ଼ ଦାବି କରିଛନ୍ତି ।

Leave A Reply

Your email address will not be published.