ଶିକ୍ଷକଙ୍କ ଚାରି ମାସର ଦରମା ପ୍ରଦାନ ଦାବି ନେଇ ବିଇଓଙ୍କୁ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସଂଘର ସଭାପତି କୋଷରାଜ ବେହେରା ଓ କନିଷ୍ଠ ଶିକ୍ଷକ ମାନଙ୍କ ପ୍ରତିନିଧି ବୁଲୁ ହିଆଁଲଙ୍କ ନେତୃତ୍ୱରେ ବ୍ଲକରେ ନବନିଯୁକ୍ତ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈକୁଣ୍ଠ ଶବରଙ୍କୁ ଭେଟି କନିଷ୍ଠ ଶିକ୍ଷକ (ସ୍କିମାଟିକ) ମାନଙ୍କ ଅକ୍ଟୋବର ୨୦୨୪ରୁ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ଚାରି ମାସର ଦରମା ପ୍ରଦାନ ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ନବନିଯୁକ୍ତ ଶିକ୍ଷକ ମାନଙ୍କ ମଧ୍ୟରୁ ଅଧିକାଂଶ ଜିଲ୍ଲା ବାହାରୁ ଆସିଛନ୍ତି ତେଣୁ ବିନା ଦରମାରେ ସେମାନେ ଚଳିବା ଅତ୍ୟନ୍ତ କଷ୍ଟକର ହେଉଛି ବୋଲି ସଂଘ ସଭାପତି ଜଣାଇଛନ୍ତି । ଇତି ମଧ୍ୟରେ ଜିଲ୍ଲାର ଆଗଲପୁର ଓ ସଇଁତଲା ତଥା ଅନ୍ୟ ବ୍ଲକରେ ନବନିଯୁକ୍ତ ଶିକ୍ଷକ ମାନଙ୍କ ଦରମା ପ୍ରଦାନ କରାଯାଇଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଯଦି ଆସନ୍ତା ୮ ଫେବୃୟାରୀ ୨୦୨୫ ସୁଦ୍ଧା ବକେୟା ଦରମା ପ୍ରଦାନ କରା ନ ଯାଏ ତେବେ ଦାବି ପୂରଣ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମୂହ ଧାରଣାରେ ବସିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ବୁଲୁ ହିଆଁଲ, ପ୍ରୀତମ୍ ନାଗ, ଦେବ ଯାନୀ ମାଝୀ, ଦିନେଶ ପ୍ରଧାନ, ଲୋଚନ ସାହୁ, ଶୁଭକାନ୍ତି ମାଝୀ, ରୋହିତ, ଡିଭିଡ ସିଂ ବାରିହା, ମୁରଲୀ ସୁନା, ପ୍ରେମସୁନ୍ଦର ତାଣ୍ଡି, ଅମୀୟ ନାଗ, ନରହରି ସାହୁ, ସୀମା ପାତ୍ର ପ୍ରମୁଖଙ୍କ ସହ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.