oum

କରାତଳି ତାମ୍ପରାର ପୁନଃ-ଉଦ୍ଧାର ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଛତ୍ରପୁର ବିଧାୟକ

jsm
  • ସ୍ମାରକପତ୍ର ଦେଇ ଖୁବ୍ ଶୀଘ୍ର ଏହାର ସମାଧାନ କରିବାକୁ ଦାବୀ କଲେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କରାତଳି ତାମ୍ପରାର ପୁନଃ-ଉଦ୍ଧାର କରାଯିବା ଆବଶ୍ୟକ । ଏହି ବୃହତ ଜଳାଶୟଟି ବହୁ ବର୍ଷ ବର୍ଷ ଧରି ଆନ୍ଧ୍ର ମାଫିଆଙ୍କ ଦଖଲରେ ରହିଆସିଛି । ଫଳରେ ବହୁ ବର୍ଷ ବର୍ଷ ଧରି ଛତ୍ରପୁର ଅଞ୍ଚଳର ଅନେକ ଚାଷୀ ଓ ମତ୍ସ୍ୟଜିବୀ ପରିବାରଙ୍କ ପେଟକୁ ଲାତ ମାରି ସ୍ଥାନୀୟ ପ୍ରଶାସନ ସେମାନଙ୍କ ଜୀବିକା ଛଡାଇନେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଆଖପାଖ ଅଞ୍ଚଳର ପ୍ରାୟ ୨୦/୨୫ ଖଣ୍ଡ ଗ୍ରାମରର ଲୋକମାନଙ୍କ ଜୀବିକା ବିପନ୍ନ ହୋଇପଡ଼ିଛି ବୋଲି ଜଣାଯାଇଛି । ପ୍ରକାଶ ଥାଉକି, ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନସ୍ଥ ଛତ୍ରପୁର ଉପଖଣ୍ଡ ଜଳସେଚନ ବିଭାଗ ଅଧୀନରେ ରହିଥିବା ‘କରାତଳି-ତାମ୍ପରା’ର ପୁନଃ ଉଦ୍ଧାର ଏବଂ ଆନ୍ଧ୍ର ମାଫିଆଙ୍କ ଜବରଦଖଲ କବ୍‌ଜାରୁ ଉଚ୍ଛେଦ କରିବା ଲାଗି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ କରିଛନ୍ତି । ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଧାୟକ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ବ୍ଲକ ଅଧୀନସ୍ଥ ବିପୁଳିଙ୍ଗୀ ପଞ୍ଚାୟତର ଜଳସେଚନ ବିଭାଗ ଅଧୀନରେ ଏହି କରାତଳି ତାମ୍ପରା ରହିଥିବା କଥା ବିଧାୟକ ସ୍ପଷ୍ଟ କରିଛନ୍ତି । ୧୫୭୦ ହେକ୍ଟର ଅଞ୍ଚଳ ଘେରି ରହିଥିବା କରାତଳି-ତାମ୍ପରା ଛତ୍ରପୁର ଉପଖଣ୍ଡ ଜଳସେଚନ ବିଭାଗର ଏକ ବଡ଼ ଉତ୍ସ ବୋଲି କୁହାଯାଏ । କରାତଳି ତାମ୍ପରା ଦ୍ଵାରା ଛତ୍ରପୁର ଏବଂ ଗଞ୍ଜାମ ବ୍ଳକର ପ୍ରାୟତଃ ୨୫ଖଣ୍ଡରୁ ଅଧିକ ପଞ୍ଚାୟତର ଚାଷୀମାନଙ୍କ ଜଳସେଚନ ହୋଇ ଆସୁଥିଲା ଏବଂ ପୂର୍ବେ ମତ୍ସ୍ୟଜୀବୀମାନେ ମଧ୍ୟ ଏହାରି ଉପରେ ନିର୍ଭର କରି ଚଳୁଥିଲେ । କିନ୍ତୁ ଦୀର୍ଘ ବର୍ଷର କରାତଳି ତାମ୍ପରା ବର୍ତ୍ତମାନ ପୋତି ହୋଇଗଲାଣି । ଅନ୍ୟ ପକ୍ଷରେ ସେହି ନିକଟରେ ଆନ୍ଧ୍ରରୁ ଆସିଥିବା ମାଛ ବ୍ୟବସାୟୀମାନେ କରାତଳି-ତାମ୍ପରା ଜମିକୁ ବହୁଳ ପରିମାଣରେ ଜବରଦଖଲ କରିରଖି ଆସିଛନ୍ତି । ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ମାଛଚାଷ କରାଯାଉଥିବାରୁ ମାଛଚାଷର ରାସାୟନିକ ପାଣି ଏହି ତାମ୍ପରାକୁ ପ୍ରବେଶ କରୁଛି । ଏହି ପ୍ରକାର ଅଭିଯୋଗ ଚାଷୀ ଜିଲ୍ଲାପ୍ରଶାସନ ନିକଟରେ ଅତୀତରେ କରିଛନ୍ତି । ଗୋଟିଏ ପଟେ ଶହଶହ ଏକର ଚାଷଜମି ଜବରଦଖଲରେ ରହିଛି, ଅନ୍ୟପଟେ ସେହି ଜଳାଶୟରେ ମାଫିଆମାନେ ରାସାୟନିକ ପାଣି ଛାଡୁଛନ୍ତି । ଯାହାଫଳରେ ତାମ୍ପରା ପାଇଁ ବିପଦ ସୃଷ୍ଟି ହୋଇଛି । ଏଣୁ ଏହି ତାମ୍ପରାର ପୁନଃ ଉଦ୍ଧାର ସାଙ୍ଗକୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.