ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗ୍ରାମାଞ୍ଚଳରେ କ୍ରୀଡା ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ ପ୍ରଥମ ଥର ପାଇଁ ବିଧାୟକ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସ୍ଵେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଆନୁକୂଲ୍ୟରେ ଗତ ୮ ତାରିଖରୁ ଏହି ଫୁଟବଲ୍ ପ୍ରତିଯୋଗିତାର ଲିଗ ପର୍ଯ୍ୟାୟ ମ୍ୟାଚ ଗୁଡ଼ିକ ମହିମୁଣ୍ଡା, ମୁରସୁଣ୍ଡ ଓ କୁଶଙ୍ଗ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ୨୬ଟି ଦଳ ଅଂଶଗ୍ରହଣ କରିଥିଲେ । ଶନିବାର ସ୍ଥାନୀୟ ଷ୍ଟାଡିୟମ୍ ପରିସରରେ ବାଦିବାହାଲ ଓ ନଅଗାଁ(ଖ) ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ନଅଗାଁ (ଖ) ଏକାଦଶ ବାଦିବାହାଲ ଏକାଦଶକୁ ହରାଇ ଚମ୍ପିୟାନ ହୋଇଥିଲା । ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ସୁନିଲ ଭୋଇ, ଶ୍ରେଷ୍ଠ ଗୋଲ କିପର ଭାବେ ରିଙ୍କୁ ବିଶ୍ଵାଳ ଓ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ସୌମ୍ୟ ଭୋଇଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ସୁଦୟ ବାରିକ ମ୍ୟାଚ୍ କମିଶନର ଦାୟିତ୍ଵ ନିର୍ବାହ କରିଥିବା ବେଳେ ଗୋପାଳ ସାହୁ, ବିଜୟ ରଣା, ଅଞ୍ଜନ ବେଶ୍ରା, କରୁଣାକର ପଧାନ ମ୍ୟାଚ୍ ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ବିଜେତା ଦଳକୁ ୩୦ ହଜାର ଅର୍ଥରାଶି ସମେତ ଟ୍ରଫି ଓ ଉପ ବିଜେତା ଦଳକୁ ନଗଦ ୨୦ ହଜାର ଅର୍ଥରାଶି ସମେତ ଟ୍ରଫି ପ୍ରଦାନ କରିଥିଲେ । ଏଥିସହିତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଓ ମ୍ୟାଚ୍ ଅଫିସିଆଲ୍ ମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଡୁ, ପୁଇନ୍ତଲା ବିଡ଼ିଓ ଅମରେନ୍ଦ୍ର ସ୍ୱାଇଁ, ଆଗଲପୁର ଏବିଡ଼ିଓ ରୁଦ୍ରପ୍ରତାପ ସୁନା, ଆୟୋଜକ କମିଟି ସଭାପତି ରାମଚନ୍ଦ୍ର ସାହୁ, ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଗୌରାଙ୍ଗ ନାଏକ, ସରୋଜ ସାହୁ, ଭୂତନାଥ ନାଏକ, ଶଙ୍କର ସାହୁ, ଶିବ ଅଗ୍ରୱାଲ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।