ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଅନ୍ନପ୍ରସାଦ ବଣ୍ଟନ କଲେ ବିଧାୟକଙ୍କ ସହ ଜିଲ୍ଲାପାଳ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଯୁଗ୍ମ ମନ୍ଦିର ପ୍ରତିଷ୍ଠା ସହ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଅଛି । ମନ୍ଦିର ନିର୍ମାଣ କମିଟି ରାଜେନ୍ଦ୍ର ମେହେରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ଦିର ନିର୍ମାଣ କମିଟି ସହ ୪୦୦ରୁ ଅଧିକ ସ୍ୱେଚ୍ଛାସେବୀଙ୍କ ସହ ଆଖପାଖ ଗ୍ରାମବାସୀଙ୍କ ସହଯୋଗରେ ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲୁ ରହିଛି । ପ୍ରତ୍ୟେକ ଦିନ ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ସକାଳ ୧୨ଟାରୁ ରାତ୍ରି ୧୨ଟା ପର୍ଯ୍ୟନ୍ତ ଅନ୍ନପ୍ରସାଦ ବଣ୍ଟନ ତଥା ହରିହାଟରେ ପ୍ରସାଦ ବଣ୍ଟନ କରାଯାଉଛି । ଶନିବାର ୫୦ ହଜାରୁ ଅଧିକ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ହରି ପ୍ରସାଦ ଗ୍ରହଣ କରିଥିଲେ । ଅପରାହ୍ନରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗଦେଇ ହରିହାଟ ସହ ଭଣ୍ଡାର ଘର ବୁଲି ଦେଖିବା ସହିତ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରିଥିଲେ । ରବିବାର ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇ ଯୁଗ୍ମ ମନ୍ଦିର, ୫୬ ପ୍ରହରୀ ନାମ ମଣ୍ଡପରେ ରାଧାକୃଷ୍ଣଙ୍କ ଦର୍ଶନ କରିଥିଲେ । ଭକ୍ତମାନଙ୍କ ପାଇଁ ପ୍ରସ୍ତୁତ ହେବାକୁ ଥିବା ଅନ୍ନ ପ୍ରସାଦ ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଏହାପରେ ହରିହାଟରେ ଭକ୍ତମାନଙ୍କ ପାଇଁ ପ୍ରସ୍ତୁତ ଅନ୍ନ ପ୍ରସାଦ ବାଣ୍ଟି ନିଜକୁ ଖୁସି ଅନୁଭବ କରିଥିଲେ ।।

Leave A Reply

Your email address will not be published.