ବିଜେପି ଏଥର ଓଡ଼ିଶାରେ ୧୫ ଲୋକସଭା ଓ ୭୫ ବିଧାନସଭା ଆସନ ଜିତିବ : ଅମିତ ଶାହା

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ରାଉରକେଲା ଗ୍ରସ୍ତ ଅବସରରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରି କହିଲେ ଯେ, ଚଳିତ ନିର୍ବାଚନରେ ୧୫ ଲୋକସଭା ଓ ୭୫ ବିଧାନସଭା ଜିତିବ ଓ ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାର ଗଠନ ହେବ । ବର୍ତ୍ତମାନ ୪ କ୍ଷେପରେ ନିର୍ବାଚନ ପରେ ମୋଦି ୨୭୦ସିଟ୍‌ ପାର କରିସାରିଲେଣି, ତେଣୁ ଏଥର ୪୦୦ ପାର ନିଶ୍ଚିତ । ସେହିପରି ଓଡ଼ିଶାର ଆଦିବାସୀ ଝିଅକୁ ରାଷ୍ଟ୍ରପତି କରିଛି । ଓଡ଼ିଶାରେ ଓଡିଆରେ ଶାସନ ନା ତାମିଲ ଶାସନ ଚାଲିବ ବୋଲି ସେ ଜନସାଧାରଣଙ୍କୁ ପଚାରିଥିଲେ । ରତ୍ନଭଣ୍ଡାରର ଡୁପ୍ଲିକେଟ୍‌ ଚାବି କାହିଁକି ତିଆରି କରାଗଲା ? ଅର୍‌ଜିନାଲ୍‌ ଚାବି କୁଆଡେ଼ ଗଲା ତଥା ଏ ସମ୍ପର୍କରେ ତଦନ୍ତ ରିପୋର୍ଟ କାହିଁକି ଚାପି ରଖାଯାଇଛି ବୋଲି ସେ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ । ସେହିପରି ମୋଦି ସରକାର ୫ କେଜି ଚାଉଳ ଦେଉଛି । ବିଜେଡ଼ି ଖାଲି ବ୍ୟାଗ ଦେଉଛି । ଲୋକେ କ’ଣ ବ୍ୟାଗ ଖାଇବେ ବୋଲି ବ୍ୟଙ୍ଗୋପ୍ତି କରିବା ସହ ବିଜେଡି ସରକାର କାହିଁକି ୨ କେଜି ଚାଉଳ ଅଧିକ ଦେଉନାହିଁ ବୋଲି କହିଥିଲେ । ଜଗନ୍ନାଥ ଧାମକୁ ପରିକ୍ରମା ନାଁରେ ପର୍ଯ୍ୟଟନସ୍ଥଳୀ କରାଯାଉଛି । ଜଗନ୍ନାଥ ମନ୍ଦିରର ସବୁ ଦ୍ୱାର ଖୋଲାଯାଉନାହି । ଓଡ଼ିଶାର ଚାଷୀଙ୍କ ଆୟ ସର୍ବନିମ୍ନ ରହିଛି । ବିଜେପି ସରକାର ଆସିଲେ ଚାଷୀଭାଇମାନେ ଉପଯୁକ୍ତ ନ୍ୟାୟ ପାଇବେ ବୋଲି ଶାହା କହିଥିଲେ । ସମ୍ପ୍ରତି ଓଡ଼ିଶାରେ ଅଫିସର ରାଜ ଚାଲିଛି । ଓଡ଼ିଶାର ସଂସ୍କୃତିକୁ ପ୍ରତି ଦିନ ନବୀନ ସରକାର ନଷ୍ଟ କରିଚାଲିଛି । ଓଡ଼ିଶାରେ ନକ୍ସଲବାଦରୁ ମୁକ୍ତି କରିଛନ୍ତି ମୋଦିଜୀ । ତେଣୁ ଚଳିତ ନିର୍ବାଚନରେ ବିଜେପିର ପଦ୍ମ ଚିହ୍ନରେ ଭୋଟ୍‌ ଦେଇ ଏକ ସୁସ୍ଥ ଓ ସ୍ଥିର ସରକାର ଗଠନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସୁନ୍ଦରଗଡ ଜିଲ୍ଲାର ସାଂସଦ ପ୍ରାର୍ଥୀ ଜୁଏଲ ଓରାମ, ରାଉରକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲିପ ରାୟ, ରଘୁନାଥପାଲି, ବିରମିତ୍ରପୁର, ରାଜଗାଙ୍ଗପୁର, ସୁନ୍ଦରଗଡ, ତଳସରା, ବଣେଇର ବିଧାୟକ ପ୍ରାର୍ଥୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.