ଖେଳ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ହାଇସ୍କୁଲର ଖେଳ ଶିକ୍ଷକ ମୁରଲୀଧର ପଟେଲଙ୍କୁ ଗତକାଲି ପ୍ରଧାନଶିକ୍ଷକ କମଲାକାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଖେଳ ଶିକ୍ଷକ ପଟେଲ ୧୯୮୯ ମସିହାରୁ ଏହି ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରିଥିଲେ ଏବଂ ଦୀର୍ଘ ୩୩ ବର୍ଷ ଚାକିରି ପରେ ସେ ଅବସର ନେଇଛନ୍ତି । ଏହି ବିଦ୍ୟାଳୟରୁ ଚାକିରି ଜୀବନ ଆରମ୍ଭ କରି ଏଠି ଶେଷ ହୋଇଛି ତାଙ୍କ ଶିକ୍ଷକତା । ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେବା ସମୟରେ ଛାତ୍ରଛାତ୍ରୀ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ବିଦ୍ୟାଳୟର ଅନ୍ୟ ଶିକ୍ଷକ ଏବଂ କର୍ମଚାରୀ ମାନେ ମଧ୍ୟ ଭାବ ବିହ୍ୱଳ ହୋଇଯାଇଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ, ଛାତ୍ର ବତ୍ସଲ ଶିକ୍ଷକ ଥିଲେ । ତାଙ୍କ ୩୩ ବର୍ଷର ଚାକିରି କାଳ ମଧ୍ୟରେ ଶିକ୍ଷାନୁଷ୍ଠାନର ଧାର୍ମିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ହେଲେ ସେ ଅଗ୍ରଣୀ ସାରଥୀ ଭାବରେ କାର୍ଯ୍ୟକ୍ରମକୁ ଆଗେଇ ନେଉଥିଲେ ।ସଭାରେ ମୁଖ୍ୟ ଅତିଥି ଭାବେ ଗୁଦେରପାଲି ଗୌନ୍ତିଆ ରାମଚନ୍ଦ୍ର ପାତ୍ର ଯୋଗଦେଇ ବିଦାୟୀ ଶିକ୍ଷକଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.