ବିଦାୟ ନେଲେ ଜଗତଜନନୀ

ଅନୁଗୋଳ : ଅନୁଗୋଳ ସହରରେ ଧୁମ୍‌ଧାମ୍‌ରେ ପୂଜା ପାଳନ ପରେ ଗୁରୁବାର ମା’ ଦୁର୍ଗାଙ୍କୁ ବିଦାୟ ଦିଆଯାଇଛି । ସକାଳୁ ବିଳମ୍ବିତ ରାତି ଯାଏ ଏହି ଭସାଣି ଶୋଭାଯାତ୍ରା ଚାଲିଥିଲା । ପ୍ରଶାସନ ପକ୍ଷରୁ ବିଭିନ୍ନ କମିଟିକୁ ଭିନ୍ନ ଭିନ୍ନ ସମୟ ଦିଆଯାଇଥିବାରୁ ସେହି ଅନୁଯାୟୀ କମିଟି ପକ୍ଷରୁ ମେଢ଼କୁ ସହର ପରିକ୍ରମା କରାଯାଇଥିଲା । ବିଶେଷକରି ଅମଲାପଡ଼ା, ଶିମିଳିପଡ଼ା, ହେମସୁରପଡ଼ା, ହୁଲୁରୁସିଂହା, ବସଷ୍ଟାଣ୍ଡ, ଦଶହରାପଡ଼ିଆ ଓ ରାଣିଗୁଡ଼ା ମେଢ଼ ଶୋଭାଯାତ୍ରା ବେଶ୍‌ ଆକର୍ଷଣୀୟ ହୋଇଥିଲା । ବିଭିନ୍ନ ବାଦ୍ୟ, ଲୋକ ନୃତ୍ୟ ଦଳଙ୍କୁ ଏଥିରେ ସାମିଲ କରାଯାଇଥିଲା । ଶୋଭାଯାତ୍ରା ଯେପରି ଶୃଙ୍ଖଳିତ ହେବ ସେଥିପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଝିପି ଝିପି ବର୍ଷା ସତ୍ତ୍ୱେ ଭସାଣି ଶୋଭାଯାତ୍ରା ଦେଖିବାକୁ ସହରରେ ପ୍ରବଳ ଜନ ସମାଗମ ହୋଇଥିଲା । ସହର ପରିକ୍ରମା ପରେ ମେଢ଼ ଗୁଡ଼ିକୁ ଜଳାଶୟରେ ବିର୍ସଜନ କରାଯାଇଥିଲା । ସେହିପରି କିଶୋରନଗର ବ୍ଲକ ବଇଣ୍ଡାରେ ଭସାଣି ଉତ୍ସବ ପାଳିତ ହୋଇଯାଇଛି । ମା’ଙ୍କୁ ବାଜା, ବାଣ ଆଦି ବିରାଟ ପଟୁଆରେ ବଇଣ୍ଡା ଓ ଆଖପାଖ ଗ୍ରାମ ପରିକ୍ରମା କରାଯାଇ ଚନ୍ଦନ ପୋଖରୀରେ ବିସର୍ଜନ କରାଯାଇଥିଲା । କମିଟିର ଗିରିଶ ଚନ୍ଦ୍ର ବେହେରା, ଶଙ୍କର ଦାସ, ପ୍ରଦୀପ ପ୍ରଧାନ, ବିକାଶ ସାହୁ, ଲମ୍ବୋଦର ପାତ୍ରଙ୍କ ସମେତ ପୂଜା କମିଟିର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ବଇଣ୍ଡା ପୋଲିସ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲା । ସେହିପରି ନାଲ୍‌କୋ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ଭସାଣି ଉତ୍ସବ ପାଳିତ ହୋଇଥିଲା । ଘଣ୍ଟ ବାଦ୍ୟ, ଲଉଡି ଖେଳ ସହ ବିଭିନ୍ନ ବାଦ୍ୟ ବାଜଣାରେ ନାଲ୍‌କୋନଗର ପ୍ରକମ୍ପିତ ହୋଇଥିଲା । ବାଦ୍ୟ ନୃତ୍ୟ ସହକାରେ ଠାକୁରାଣୀଙ୍କୁ ନାଲ୍‌କୋନଗର ପରିକ୍ରମା କରାଯାଇ ନିକଟସ୍ଥ ଜଳାଶୟରେ ବିସର୍ଜନ କରାଯାଇଥିଲା । ସଭାପତି ବି.ଆର୍‌. ପଟ୍ଟନାୟକ, ସମ୍ପାଦକ ମନୋଜ ସ୍ୱାଇଁ, କିଶୋର ମିଶ୍ର, ଯତୀନ ମିଶ୍ର, ସୁବାସ ଗଡନାୟକ, ନଟବର ମହାନ୍ତି, ହରେକୃଷ୍ଣ ନାଥ, ପ୍ରଶାନ୍ତ ସାମଲ, ସ୍ୱରୂପ ଗଡନାୟକ, ଲିଟୁ ସିଂ, ଅଶୋକ ଦେହୁରୀ, ଲଲାଟେନ୍ଦୁ ମହାପାତ୍ର, ଚିତ୍ତ ମୁଦୁଲି ପ୍ରମୁଖ ଭସାଣି କାର୍ଯ୍ୟ ପରିଚାଳନା କରିଥିଲେ । କଣିହାଁ ବ୍ଲକ ଅଞ୍ଚଳର କୁଲେଇ, ଡଙ୍ଗରବେଡା, ସାନକାକୁଡିଆ, ଜମାନିଆ, ବଇଣ୍ଡା, ଭୂଇଁପୁର, ରେଙ୍ଗାଳି, ବଜ୍ରକୋଟ ଆଦି ଗ୍ରାମରେ ଦୁର୍ଗାପୂଜା ପାଳିତ ହୋଇଯାଇଛି । ଡେରେଙ୍ଗ ଗ୍ରାମରେ ଭସାଣି ଉତ୍ସବ ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ବର୍ଷା ସତ୍ତ୍ୱେ ପାଇକ ଆଖଡ଼ା ଦଳ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ । ସନ୍ଧ୍ୟାରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ହୋଇଥିଲା । ଶନିବାର ପର୍ଯ୍ୟନ୍ତ ନାଟକ ପରିବେଷଣ ହେବ । ଛେଣ୍ଡିପଦା ବ୍ଲକ ଜରପଡା ଗ୍ରାମ୍ୟ ପରିଚାଳନା କମିଟି ଓ ଦୁର୍ଗାପୂଜା କମିଟି ପକ୍ଷରୁ ହାଟପଦାଠାରେ ଗୁରୁବାର ରାବଣ ପୋଡି ଓ ଆଜ୍ଞାଲଡୁ ନିଲାମ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଜରପଡା ଥାନା ଅଧିକାରୀ ସରୋଜକାନ୍ତ ସାମଲ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ରସାନନ୍ଦ ସାହୁ, ଭୋଳେଶ୍ୱର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଭାନୁପ୍ରିୟା ପ୍ରଧାନ, ଜରପଡା ସରପଞ୍ଚ ବିଦେଶୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଆଜ୍ଞାଲଡୁକୁ ଜେରେଙ୍ଗ ଦେହୁରୀସାହି ଗ୍ରାମର ସିପୁନ ଦେହୁରୀ ୩୧ ହଜାର ୩ ଶହ ୧ ଟଙ୍କାରେ ନିଲାମ ନେଇଥିଲେ । ପରେ ବିରାଟ ପଟୁଆରରେ ମା’ଙ୍କୁ ଗ୍ରାମ ପରିକ୍ରମା କରାଯାଇ ବାଉରୀ ନଦୀରେ ବିସର୍ଜନ କରାଯାଇଥିଲା ।

Leave A Reply

Your email address will not be published.