ମହାମହିମ, ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ
ଉଭୟ ଦେଶର ପ୍ରତିନିଧିଗଣ,
ଗଣମାଧ୍ୟମର ବନ୍ଧୁଗଣ,
ନମସ୍କାର ।
ସଲାମ ପାଗୀ ( ସୁପ୍ରଭାତ)
ପ୍ରଥମେ, ମୁଁ ମୋର ଘନିଷ୍ଠ ବନ୍ଧୁ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ତାଙ୍କର ହୃଦୟସ୍ପର୍ଶୀ ଓ ଭବ୍ୟ ସ୍ୱାଗତ ପାଇଁ ସହୃଦୟତାର ସହିତ କୃତଜ୍ଞତା ଜଣାଉଛି । ଗତ ବର୍ଷ, ମୁଁ ଏସିଆନ୍ ଶିଖର ସମ୍ମିଳନୀ ପାଇଁ ମାଲେସିଆ ଯାତ୍ରା କରିପାରି ନଥିଲି । କିନ୍ତୁ ମୁଁ ମୋର ପ୍ରିୟ ବନ୍ଧୁଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ, ମୁଁ ଯଥାଶୀଘ୍ର ମାଲେସିଆ ଗସ୍ତ କରିବି । ଆଜି, ୨୦୨୬ର ମୋର ପ୍ରଥମ ବିଦେଶ ଯାତ୍ରାରେ, ମୁଁ ମାଲେସିଆ ଆସିଛି ।
ବନ୍ଧୁଗଣ,
ଭାରତ ଓ ମାଲେସିଆ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଗଭୀର ଓ ଅତୁଟ । ଆମେ ସମୁଦ୍ରପଥର ପଡ଼ୋଶୀ । ଶତାବ୍ଦୀ ଧରି, ଆମର ଦୁଇ ଦେଶର ଲୋକଙ୍କ ମଧ୍ୟରେ ଗଭୀର ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଆସିଛି । ଆଜି, ମାଲେସିଆ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଭାରତୀୟ ବଂଶୋଦ୍ଭବ ଜନସଂଖ୍ୟା ବିଶିଷ୍ଟ ଦେଶ। ଆମ ଦୁଇ ଦେଶର ସଭ୍ୟତା ସମାନ ସାଂସ୍କୃତିକ ଐତିହ୍ୟ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧରେ ଆଧାରିତ ।
ବନ୍ଧୁଗଣ,
ଗତ କିଛି ବର୍ଷ ଧରି ଆମର ସମ୍ପର୍କ ନୂତନ ଗତି ହାସଲ କରିଛି । ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
ଶକ୍ତି, ଭିତ୍ତିଭୂମି ଏବଂ ଉତ୍ପାଦନ କ୍ଷେତ୍ରରେ ଆମର ସହଯୋଗ ଯଥେଷ୍ଟ ମଜଭୁତ ହୋଇଛି । ଡିଜିଟାଲ ଅର୍ଥନୀତି, ଜୈବପ୍ରଯୁକ୍ତିବିଦ୍ୟା ଓ ଆଇଟି କ୍ଷେତ୍ରରେ ପାରସ୍ପରିକ ନିବେଶ ବୃଦ୍ଧି ପାଇଛି । ପର୍ଯ୍ୟଟନ ଏବଂ ଲୋକ-ଲୋକ ମଧ୍ୟରେ ସମ୍ପର୍କ ମଧ୍ୟ ଆହୁରି ନିବିଡ଼ ହୋଇଛି । ଏହି ସଫଳତାଗୁଡ଼ିକ ଦ୍ୱାରା ଅନୁପ୍ରାଣିତ ହୋଇ, ଆଜି ଆମେ ଆମର ସହଭାଗୀତାରେ ଅଭୂତପୂର୍ବ ଗତି ଏବଂ ଗଭୀରତା ଆଣିବାକୁ ନିଷ୍ପତ୍ତି ନେଇଛୁ ।
ବନ୍ଧୁଗଣ,
ସୁରକ୍ଷା କ୍ଷେତ୍ରରେ, ଆମେ ଆତଙ୍କବାଦ ବିରୋଧୀ ପଦକ୍ଷେପ, ଗୁପ୍ତ ସୂଚନା ଆଦାନପ୍ରଦାନ ଏବଂ ସାମୁଦ୍ରିକ ସୁରକ୍ଷାରେ ସହଯୋଗକୁ ଆହୁରି ସୁଦୃଢ଼ କରିବୁ। ଆମେ ପ୍ରତିରକ୍ଷା ସହଯୋଗକୁ ମଧ୍ୟ ଆହୁରି ବିସ୍ତୃତ ଓ ସାମଗ୍ରିକ କରିବୁ ।
ଏଆଇ ଓ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ସହିତ, ଆମେ ସେମିକଣ୍ଡକ୍ଟର, ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଆମ ସହଭାଗୀତାକୁ ଆହୁରି ଆଗକୁ ବଢ଼ାଇବୁ। ଆଜି ଆୟୋଜିତ ସିଇଓ ଫୋରମ୍, ବାଣିଜ୍ୟ ଓ ନିବେଶ ପାଇଁ ନୂତନ ସୁଯୋଗ ଆଣିଦେଇଛି । ଆମେ ରଣନୈତିକ ବିଶ୍ୱାସ ମାଧ୍ୟମରେ ଅର୍ଥନୈତିକ ପରିବର୍ତ୍ତନ ପାଇଁ ପଥ ପ୍ରଶସ୍ତ କରିବୁ ।
ବନ୍ଧୁଗଣ,
ଗତକାଲି, ମୋତେ ମାଲେସିଆର ଭାରତୀୟ ପ୍ରବାସୀମାନଙ୍କ ସହିତ ଭେଟିବାର ସୁଯୋଗ ମିଳିଥିଲା । ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ମଧ୍ୟ ତାଙ୍କ ଉପସ୍ଥିତି ମାଧ୍ୟମରେ ସମ୍ମିଳନୀର ଗରିମାକୁ ଆହୁରି ବୃଦ୍ଧି କରିଥିଲେ । ୩୦ ଲକ୍ଷ ପ୍ରବାସୀ ଭାରତୀୟଙ୍କ ଏହି ‘ଜୀବନ୍ତ ସେତୁ’ (ଲିଭିଂ ବ୍ରିଜ୍) ଆମର ସବୁଠାରୁ ବଡ଼ ଶକ୍ତି । ସେମାନଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ପଦକ୍ଷେପ ଆମର ସମ୍ପର୍କକୁ ଏକ ମାନବିକ ଭିତ୍ତିଭୂମି ପ୍ରଦାନ କରେ ।
ମାଲେସିଆରେ ଭାରତୀୟ ଶ୍ରମିକଙ୍କ ସୁରକ୍ଷା ପାଇଁ ସାମାଜିକ ସୁରକ୍ଷା ଚୁକ୍ତିନାମା, ପର୍ଯ୍ୟଟନ ପାଇଁ ଗ୍ରାଟିସ୍ ଇ-ଭିସା ଏବଂ ମାଲେସିଆରେ ଡିଜିଟାଲ୍ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇ କାର୍ଯ୍ୟକାରୀ ଆଦି ସମସ୍ତ ପଦକ୍ଷେପ ଦୁଇ ଦେଶର ନାଗରିକମାନଙ୍କ ଜୀବନକୁ ଅଧିକ ସରଳ କରିବ । କାରଣ ଯେକୌଣସି ସହଭାଗୀତା ସେତେବେଳେ ସଫଳ ହୁଏ ଯେତେବେଳେ ତାହାର ଲାଭ ସିଧାସଳଖ ଭାବରେ ଲୋକଙ୍କ ପାଖରେ ପହଞ୍ଚିଥାଏ ।
ବନ୍ଧୁଗଣ,
ଭାରତ ଓ ମାଲେସିଆ ମଧ୍ୟ ତାମିଲ ଭାଷା ପ୍ରତି ଏକ ସମାନ ପ୍ରେମ ଦ୍ୱାରା ଆବଦ୍ଧ ହୋଇଛନ୍ତି। ମାଲେସିଆରେ ତାମିଲ ଭାଷାର ସୁଦୃଢ଼ ଓ ସ୍ପନ୍ଦନଶୀଳ ଉପସ୍ଥିତି ଶିକ୍ଷା, ଗଣମାଧ୍ୟମ ଏବଂ ସାଂସ୍କୃତିକ ଜୀବନରେ ସ୍ପଷ୍ଟ ପରିଲକ୍ଷିତ ହୋଇଥାଏ । ମୁଁ ନିଶ୍ଚିତ ଯେ, ଆଜିର ଅଡିଓ-ଭିଜୁଆଲ୍ ଚୁକ୍ତିନାମା ଚଳଚ୍ଚିତ୍ର ଓ ସଙ୍ଗୀତ, ବିଶେଷକରି ତାମିଲ ଚଳଚ୍ଚିତ୍ର ମାଧ୍ୟମରେ ଆମର ହୃଦୟକୁ ଆହୁରି ନିକଟତର କରିବ ।
ଆମେ ଆମର ଯୁବପିଢ଼ିଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ ଆଦାନ-ପ୍ରଦାନ, ଷ୍ଟାର୍ଟ-ଅପ୍ ସଂଯୋଗ ଓ ଦକ୍ଷତା ବିକାଶ ପାଇଁ ସୁଯୋଗଗୁଡ଼ିକୁ ମଧ୍ୟ ଆହୁରି ବଢ଼ାଇବୁ । ଆମର ବଢି ଚାଲିଥିବା ସମ୍ପର୍କକୁ ସମର୍ଥନ କରିବା ପାଇଁ, ଆମେ ମାଲେସିଆରେ ଏକ ନୂତନ କନସୁଲେଟ୍ ମଧ୍ୟ ଖୋଲିବାକୁ ଯାଉଛୁ ।
ବନ୍ଧୁଗଣ,
ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏକ ବିଶ୍ୱ ଅଭିବୃଦ୍ଧି ଇଞ୍ଜିନ୍ ଭାବରେ ଉଭା ହେଉଛି। ଆମେ, ଏସିଆନ୍ ସହିତ, ସମଗ୍ର ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ବିକାଶ, ଶାନ୍ତି ଏବଂ ସ୍ଥିରତା ପାଇଁ ପ୍ରତିବଦ୍ଧ। ଭାରତ ଏସିଆନ୍ କେନ୍ଦ୍ରୀୟତାକୁ ପ୍ରାଥମିକତା ଦେଉଛି । ମାଲେସିଆର ସଫଳ ଏସିଆନ୍ ଅଧ୍ୟକ୍ଷତା ପାଇଁ, ମୁଁ ପୁନର୍ବାର ସହୃଦୟତାର ସହିତ ଅଭିନନ୍ଦନ ଜଣାଉଛି ।
ମାଲେସିଆ ଭଳି ବନ୍ଧୁତ୍ୱପୂର୍ଣ୍ଣ ଦେଶଗୁଡ଼ିକର ସହଯୋଗ ସହିତ, ଭାରତ ଏସିଆନ୍ ସହିତ ସମ୍ପର୍କକୁ ଆହୁରି ବିସ୍ତାର କରିବ । ଆମେ ସହମତ ହୋଇଛୁ ଯେ, ଏସିଆନ୍–ଭାରତ ବାଣିଜ୍ୟ ଚୁକ୍ତିନାମା, ‘ଆଇଟିଗା’ (AITIGA) ର ସମୀକ୍ଷା ଶୀଘ୍ର ସମାପ୍ତ କରାଯିବା ଆବଶ୍ୟକ ।
ବନ୍ଧୁଗଣ,
ଆଜି ଆମେ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଏକ ଅର୍ଥପୂର୍ଣ୍ଣ ଆଲୋଚନା ମଧ୍ୟ କରିଛୁ। ବିଶ୍ୱବ୍ୟାପୀ ଅସ୍ଥିରତାର ଏହି ପରିବେଶରେ, ଭାରତ ଓ ମାଲେସିଆ ମଧ୍ୟରେ ବଢ଼ୁଥିବା ବନ୍ଧୁତା ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଆମେ ଏହି ମତ ଦେଇଥାଉ ଯେ, ଆଜିର ଆହ୍ଵାନଗୁଡ଼ିକୁ ସମାଧାନ କରିବା ପାଇଁ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକର ସଂଶୋଧନ ଅତ୍ୟାବଶ୍ୟକ। ଆମେ ଶାନ୍ତି ପାଇଁ ସମସ୍ତ ପ୍ରୟାସକୁ ନିରନ୍ତର ସମର୍ଥନ କରିବୁ । ଆତଙ୍କବାଦ ଉପରେ ଆମର ସନ୍ଦେଶ ସ୍ପଷ୍ଟ :
କୌଣସି ଦ୍ୱୈତ ମାନଦଣ୍ଡ ନାହିଁ। କୌଣସି ଆପୋଷ ବୁଝାମଣା ନାହିଁ ।
ମହାମହିମ,
ଭାରତ-ମାଲେସିଆ ସମ୍ପର୍କ ପ୍ରତି ଆପଣଙ୍କ ପ୍ରତିବଦ୍ଧତାକୁ ଆମେ ଗଭୀର ଭାବେ ସ୍ୱୀକାର ଓ ପ୍ରଶଂସା କରୁଛୁ । ଆସନ୍ତୁ, ଆମେ ଏକାଠି ମିଶି ଆପଣଙ୍କର ସମୃଦ୍ଧ ମାଲେସିଆର ସ୍ୱପ୍ନ ଏବଂ ଆମର ବିକଶିତ ଭାରତ ପାଇଁ ଥିବା ସଂକଳ୍ପକୁ ସାକାର କରିବା ।
ପୁଣି ଥରେ, ଆପଣଙ୍କ ବନ୍ଧୁତା, ଆପଣଙ୍କ ଭବ୍ୟ ସ୍ୱାଗତ ଓ ଆପଣଙ୍କ ଆତିଥ୍ୟ ପାଇଁ ଆପଣଙ୍କୁ ହୃଦୟର ଗଭୀରତାରୁ ବହୁତ ବହୁତ ଧନ୍ୟବାଦ । ଆମେ ଆପଣଙ୍କୁ ଭାରତରେ ସ୍ୱାଗତ କରିବାକୁ ଆତୁର ଭାବରେ ଅପେକ୍ଷା କରିଛୁ ।
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।
ଜୁମ୍ପା ଲାଗି ।