oum

ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ, ସ୍ୱାମୀ ଥାନାରେ ଅଟକ : ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

jsm

ବେଲପଡା, (କରୁଣାକର ବୁଡ଼େକ) : ବେଲପଡା ବ୍ଲକ କର୍ଲାବାହାଲି ଗାଁରେ ରବିବାର ଦିନ ପୋଲିସ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି । ମୃତ ମହିଳା ଜଣକ ହେଲେ ସେହି ଗାଁର ଋଷିକେଶ ବନଗୁଲାଙ୍କ ସ୍ତ୍ରୀ ହେମଲତା ବନଗୁଲା । ତାଙ୍କୁ ସ୍ୱାମୀ ଋଷିକେଶ ହତ୍ୟା କରି ଆତ୍ମହତ୍ୟା ରୂପ ଦେଉଥିବା ଅଭିଯୋଗ କରି ହେମଲତାର ଭାଇ ଚିତ୍ରସେନ ଭୋଇ ବେଲପଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ସ୍ୱାମୀ ଋଷିକେଶକୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାପଡୁଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ହିଁ ଜଣାପଡିବ । ପ୍ରାପ୍ତ ସୂଚନା ମତେ, କର୍ଲାବାହାଲୀ ଗାଁର ଋଷିକେଶ ବନଗୁଲା ୪ ବର୍ଷ ପୂର୍ବେ ମୁରିବାହାଲ ଥାନା ବଡ଼ ସାଇମରା ଗାଁର ଦୂତିଆ ଭୋଇଙ୍କ ଦ୍ୱିତୀୟ କନ୍ୟାଙ୍କୁ ବାହା ହୋଇ ଘର ସଂସାର କରିଥିଲେ । ତାଙ୍କର ଏକ ୩ ବର୍ଷର ଝିଅ ଅଛି । ଝିଅର ମୁଣ୍ଡନ ଥିବାରୁ ଟଙ୍କା ପାଇଁ ପୂର୍ବରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟ୍ୟରେ ଟଙ୍କା ଲେଣଦେଣକୁ ନେଇ କଳହ ଲାଗି ରହିଥିବା ବେଳେ ଶନିବାର ସ୍ତ୍ରୀ ହେମଲତା ଜାଲେଣି କାଠ ପାଇଁ ନିକଟ ଜଙ୍ଗଲକୁ ଯାଇ ଘରକୁ ଡେରିରେ ପହଂଚିଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ସ୍ୱାମୀ ବାହାରକୁ ଚାଲି ଆସିଥିଲେ । ଏହାର କିଛି ସମୟ ପରେ ଘରୁ ହେମଲତାଙ୍କ ମୃତଦେହ ପଡ଼ିଥିବା ପରିବାର ଲୋକ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ । ଆଜି ସକାଳେ ବେଲପଡା ଥାନା ଅଧିକାରୀ ବୁଲୁମୁଣ୍ଡା, ଏଏସ୍‌ଆଇ କିରଣ କୁମାର ଜାନି, ମାଜିଷ୍ଟ୍ରେଟ ଭାବେ ବେଲପଡା ତହସିଲଦାର ପ୍ରଶାନ୍ତୀ ପ୍ରଧାନ, ସାଇଣ୍ଟିକଫିକ ଟିମ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ବେଲପଡାକୁ ଆଣିଥିଲେ । ପୋଲିସ କେସ ନମ୍ବର ୧୦୭/୨୦୨୧ରେ ଏକ ମାମଲା ରୁଜୁ କରି ସ୍ୱାମୀକୁ ଥାନାରେ ଅଟକ ରଖି ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.