କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାରେ ପ୍ରତ୍ୟେକ ସମୟରେ ଧାନର ଅଭାବ ବିକ୍ରୀକୁ ନେଇ ଚାଷୀ ଅସୁବିଧା ଭୋଗୁଥିବା ବେଳେ ଏବେ ମିଲର୍ସ୍ ଓ ଏଫସିଆଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଓଭର୍ ଲୋଡିଙ୍ଗକୁ ନେଇ ବିବାଦ ଉପୁଜିବାରୁ ଚାଉଳ ସଂଗ୍ରହ ହୋଇପାରୁ ନାହିଁ, ଯାହାର ସିଧା ସଳଖ ପ୍ରଭାବରେ ଖରିଫ୍ ଧାନ କିଣା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଅନ୍ୟପଟେ ଏଫସିଆଇରେ ଚାଉଳ ସଂଗ୍ରହକୁ ନେଇ କୋଟି କୋଟି ଟଙ୍କାର ଦୁର୍ନୀତି ଚାଲିଥିବା ଆଲୋଚନା ଚାଲିଛି । କଳାହାଣ୍ଡି ଜିଲ୍ଲାରେ ଚାଉଳ ସଂଗ୍ରହର ଓଭର୍ ଲୋଡିଙ୍ଗକୁ ନେଇ ଏଫ୍ସିଆଇ କର୍ତ୍ତୃପକ୍ଷ ଓ ମିଲର୍ସ୍ ମଧ୍ୟରେ ବିବାଦ ଦେଖାଦେଇଛି । ପ୍ରତି ରେକ୍ ବାବଦକୁ ଏଫ୍ସିଆଇ ଡିଏମ୍ ମିଲର୍ସ୍ଙ୍କୁ ୧୫୦୦୦ ଟଙ୍କା ମାଗିଥିବା ଅଭିଯୋଗ କରିଛନ୍ତି ମିଲର୍ସ୍ । ଟଙ୍କା ଦେବା ପାଇଁ ମନା କରିବାରୁ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ ମଧ୍ୟ କରିଛନ୍ତି ମିଲର୍ସ୍ । ଚାଉଳ ରେକ୍ ପିଛା ୧୫ ହଜାର ଲେଖାଏଁ ନ ଦେବାରୁ ପୂର୍ବରୁ ହୋଇ ଆସୁଥିବା ଓଭର୍ ଲୋଡ଼ିଂକୁ ବନ୍ଦ କରିଛି ଏଫ୍ସିଆଇ ଏବେ ଓଭର୍ ଲୋଡିଙ୍ଗ ହେବନାହିଁ ବୋଲି ଟିଟିଲାଗଡ ଡିଏମ୍ ଚିଠି କରିବାରୁ ବିବାଦ ସୃଷ୍ଟି ହୋଇଛି । ପୁଣି କୁହାଯାଉଛି, ମିଲର୍ସ ତ ମିଲର୍ସ୍, ଶ୍ରମିକଙ୍କୁ ବି ଛାଡି ନାହାନ୍ତି ଏଫ୍ସିଆଇର ବାବୁ, ମୁଣ୍ଡର ଝାଳକୁ ତୁଣ୍ଡରେ ମାରି ବସ୍ତା ବୋହୁଥିବା ଶ୍ରମିକଙ୍କୁ ବି ଲଟ୍ ପିଛା ୨୦୦ ଟଙ୍କା ମାଗିଥିବା ଅଭିଯୋଗ କରିଛନ୍ତି ଶ୍ରମିକ । ଜିଲ୍ଲାରେ ଗତ ଖରିଫ୍ର ୬ ଲକ୍ଷ କୁଇଣ୍ଟାଲ ସଂଗ୍ରହ ନ ହୋଇ ବାକି ରହିଥିବାବେଳେ ରବିର ୧୩ ଲକ୍ଷ ଟନ୍ ଚାଉଳ ସ୍ଥାନ ଅଭାବରୁ ବକେୟା ରହିଛି । ଏପରି ପରିସ୍ଥିତିରେ ଚାଉଳ ସଂଗ୍ରହ ନ ହେବାରୁ ଖରିଫ୍ ଧାନ କିଣା ପ୍ରଭାବିତ ହେବ । ଉକ୍ତ ଅଭିଯୋଗ ବିଷୟରେ ଆମେ ଯେତେ ବେଳେ ଦାୟିତ୍ଵରେ ଥିବା ଏଫସିଆଇର ଅଧିକାରୀଙ୍କୁ ପଚାରିଥିଲୁ ସେ ସିଧା ସଳଖ ଉଠି ପଳାଇଥିଲେ । ଏଫ୍ସିଆଇ ଭଳି ଏକ କେନ୍ଦ୍ର ସରକାରଙ୍କ କାର୍ୟ୍ୟାଳୟର ଅଧିକାରୀ ମିଲର୍ସ୍ ଓ ଶ୍ରମିକଙ୍କୁ ଟଙ୍କା ମାଗିବା ଘଟଣାକୁ ନେଇ ବର୍ତ୍ତମାନ ଜିଲ୍ଲା ସାରା ଚର୍ଚା ଜୋର୍ ଧରିଥିବା ବେଳେ ସରକାର ଯଥା ଶୀଘ୍ର ଏହି ଘଟଣାର ତଦନ୍ତ କରି ମିଲର୍ସ୍, ଶ୍ରମିକ ଓ ଡିଏମ୍ ମଧ୍ୟରେ ଉଠିଥିବା ବିବାଦର ସମାଧାନ ନ କରନ୍ତି, ଏହା ଆଗକୁ ଆହୁରି ତୀବ୍ର ରୂପ ନେବା ସହ ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇ ପାରେ ବୋଲି ଚର୍ଚା ହେଉଛି ।