om academy

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି

jsm

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରସିଦ୍ଧ ପହିଲି ଭୋଗ ନୀତି ଆରମ୍ଭ ହେବ । ଏଣୁ କୋଠଭୋଗ ରୋଷଘରେ ନୂଆ ଚୁଲି ତିଆରି ହୋଇଛି । ମହାସୁଆରମାନେ ଏହାକୁ ତିଆରି କରିଛନ୍ତି । ସ୍ୱତନ୍ତ୍ର ଚୁଲିରେ ପ୍ରସ୍ତୁତ ହେବ ଏହି ପହିଲି ଭୋଗ । ପହିଲି ଭୋଗରେ ବିରି, ଗହମ ଓ ଗୁଆଘିଅରେ ପିଠାମାନ ତିଆରି ହେବ । ପରେ ଠାକୁରଙ୍କୁ ପଞ୍ଚୋପଚାରରେ ପୂଜା ହେବ । ପହିଲି ଭୋଗ ସହ ଗୋପାଳବଲ୍ଲଭ ଲାଗି ହେବ । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଚାଲିବ ଏହି ନୀତି । ପହିଲି ଭୋଗ ବିଧିବିଧାନ ପାଇଁ ପାଳିଆ ସେବକମାନେ ତତ୍ପର ହୋଇଛନ୍ତି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ଧାର୍ଯ୍ୟ କରିଛି । ଗୁରୁବାର ରାତି ୨ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟା ଯିବାକୁ ସ୍ଥିର ହୋଇଛି । ୫ଟା ୨୦ମିନିଟ୍‌ରୁ ୬ଟା ମଧ୍ୟରେ ପହିଲି ଭୋଗ ଅର୍ପଣ କରାଯିବ । ଭକ୍ତମାନେ କିଭଳି ଅତି ସଅଳ ଠାକୁରଙ୍କ ଅନ୍ନ ପ୍ରସାଦ ପାଇବେ ସେଥିପାଇଁ ସକାଳ ପ୍ରାୟ ୧୦ଟାରେ ଭୋଗମଣ୍ଡପ ସାରିବାକୁ ସମୟ ଧାର୍ଯ୍ୟ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି । ଅପରାହ୍ନ ସାଢ଼େ ୨ଟାରେ ଦିବା ପହୁଡ଼ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ପ୍ରଥମ ଦିନର ନୀତିକୁ ଚାହିଁ ଠାକୁରଙ୍କ ପହିଲି ଭୋଗ ବିଧି ସମ୍ପନ୍ନ ହେବ ।

Leave A Reply

Your email address will not be published.