
ଘଷିପୁରା : କେନ୍ଦୁଝର ଜିଲ୍ଲା ଘଷିପୁରା ପୁଲିସକୁ ଖୋଲା ଚାଲେଞ୍ଜ କରୁଛନ୍ତି ଚୋର । ସିସିଟିଭି ପାଖରୁ ହେଉଛି ଚୋରି । ବାରମ୍ବାର ଆନନ୍ଦପୁର ଅଞ୍ଚଳରେ ଚୋରି ହେଉଥିଲେ ବି ଲୁଟେରାଙ୍କ ଟେର୍ ପାଉନି ପୁଲିସ । ଅଭିଯୋଗ ପରେ ତଦନ୍ତ କରୁଛି ପୁଲିସ । ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଘଷିପୁରା ଥାନା ଅନ୍ତର୍ଗତ ଆନନ୍ଦପୁର ମେଡିକାଲ ନିକଟରେ ଥିବା ଏକ ପାନ ଦୋକାନରୁ ଚୋରି ହୋଇଛି । ଦୋକାନରୁ ୧୦ହଜାରରୁ ଅଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ସହ କିଛି ନଗଦ ଟଙ୍କା ଚୋରି କରି ନେଇଛନ୍ତି ଚୋର । ପାଖରେ ସିସିଟିଭି ଲାଗିଛି କିନ୍ତୁ ଚୋରମାନେ ପୁଲିସକୁ ଚାଲେଞ୍ଜ କରି ଦୋକାନ ତାଲା ଭାଙ୍ଗି ଦାମୀ ସାମଗ୍ରୀ ଚୋରି କରି ନେଇଛନ୍ତି । ରବିବାର ସକାଳୁ ଦୋକାନ ମାଲିକ ବିଶ୍ଵନାଥ ସାହୁ ଜାଣିବା ପରେ ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୁଲିସ ।