ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ନରସିଂହ

  • ଗାଁର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପିଇବା ପାଣି ନିଶ୍ଚିତ କରାଯିବ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁତିଆରବାହାଲ ପଞ୍ଚାୟତର ଭୁତିଆରବାହାଲ, କୁଡାସିଂହା ପଞ୍ଚାୟତର କୁଡାସିଂହା ଗ୍ରାମ ଏବଂ ସିନଖମନ ପଞ୍ଚାୟତର ସିନଖମନଠାରେ ତିନୋଟି ପାଇପ ଯୋଗେ ପିଇବା ପାଣି ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଘରକୁ ଘର ପାଇପ ଯୋଗେ ପିଇବା ପାଣି ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଭୁତିଆରବାହାଲ ଠାରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଅଟକଳ ପରିମାଣ ୨କୋଟି ୧ ଲକ୍ଷ ଯାହାକି ଏହି ଅଂଚଳର ୪ ହଜାର ଲୋକଙ୍କ ପାଖକୁ ପାଇପ ଯୋଗେ ପିଇବା ପାଣି ପହଞ୍ଚାଇବ । ଦୁଇ ଲକ୍ଷ ଲିଟିର କ୍ଷମତା ସମ୍ପନ୍ନ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ଯଦିଓ ଏକ ବର୍ଷରୁ ଅଧିକ ସମୟସୀମା ଦିଆଯାଇଛି ତା ସତ୍ତେ୍ୱ ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଥିବା କାର୍ଯ୍ୟନିର୍ବାହୀ ସଂସ୍ଥାକୁ ଏକ ବର୍ଷରୁ କମ୍‌ ସମୟସୀମା ମଧ୍ୟରେ ସମ୍ପୂଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପରୁ ୫୧୨ଟି ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ । ପରେ କୁଡାସିଂହାରେ ୨ କୋଟି ୫୮ ଲକ୍ଷ ଟଙ୍କାର ଏକ ସମାନ ପ୍ରକଳ୍ପ ଭିତ୍ତି ପ୍ରସ୍ତର ଦିଆଯାଇଥିଲା । ଏହି ପ୍ରକଳ୍ପରୁ ୬୦୫ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ । ଠିକ୍‌ ସେହିପରି ସିନ୍‌ଖମନଠାରେ ଭିତ୍ତିପ୍ରସ୍ତର ଦିଆଯାଇଥିବା ପ୍ରକଳ୍ପର ଅଟକଳ ପରିମାଣ ୧ କୋଟି ୨ ଲକ୍ଷ, ଯାହାକି ୧୧୮ ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଭିତ୍ତିପ୍ରସ୍ତର ପରବର୍ତ୍ତି ସଭାରେ ଶ୍ରୀ ମିଶ୍ର କହିଥିଲେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଭିତରେ ଥିବା ଗୋଟିଏ ଗ୍ରାମକୁ ମଧ୍ୟ ପିଇବା ପାଣି ପ୍ରଦାନରୁ ବଂଚିତ କରାଯିବ ନାହିଁ । ୨୦୨୩ ସୁଦ୍ଧା ଯେମିତି ପ୍ରତ୍ୟେକ ଗାଁର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପିଇବା ପାଣି ପହଞ୍ଚିବ ସେ ଦିଗରେ ସେ ତତ୍ପରତା ସହ କାମ କରୁଛନ୍ତି । ଯେଉଁ ଅଞ୍ଚଳର ପାଣି ସମସ୍ୟା ରହିଛି ସେ ଅଞ୍ଚଳରେ ବିଶେଷଜ୍ଞ ଦଳଙ୍କ ସହ ଆଲୋଚନା କରି ଯେଉଁ ଉତ୍ସରୁ ସେହି ଅଞ୍ଚଳରୁ ପିଇବା ପାଣି ପହଞ୍ଚି ପାରିବ ସେ ଦିଗରେ ସେ ଚେଷ୍ଟା ଜାରି ରଖିଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମମାନଙ୍କରେ ଭୁତିଆରବାହାଲ ସରପଞ୍ଚ ନିଳମଣି ସେଠ, ପୂର୍ବତନ ସରପଞ୍ଚ ପ୍ରମୋଦ ସାହୁ, ବିରେନ୍ଦ୍ର ମିଶ୍ର, ଶୁଭ୍ରାଂଶୁ ପଣ୍ଡା, କାମିନୀ ପୁଟେଲ, ଲିଙ୍ଗ ପୁଟେଲ, କୁବେର ସାହୁ, ରକ୍ଷା ନାଏକ, ଘନଶ୍ୟାମ ଶତପଥି, ଉମାଶଙ୍କର ପଣ୍ଡା, ଜୁଲୁ ପଟ୍ଟନାୟକ, ଘନଶ୍ୟାମ ଶତପଥି, ରକ୍ଷା ନାଏକ, ସୁରେନ୍ଦ୍ର ନାଥ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.