କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଗତକାଲି ଭବାନୀପାଟଣା ସହର ନିକଟସ୍ଥ ସ୍ଥାନୀୟ ଭଙ୍ଗାବାରିଠାରେ କଳାହାଣ୍ଡି ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡି ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ୧୧ଟି ଜିଲ୍ଲାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟୋରିଅମର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଆଭାସୀ ମାଧ୍ୟମରେ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି ଓ ଅନୁସନ୍ଧିତା, ବିଜ୍ଞାନ ଓ ବୈଷୟିକ ଜ୍ଞାନ, ବିଜ୍ଞାନର ଲୋକପ୍ରିୟତାକୁ ଜନସାଧାରଣ ଠାରେ ପହଞ୍ଚାଇବା ଏହି ଜିଲ୍ଲା ବିଜ୍ଞାନ କେନ୍ଦ୍ରର ସ୍ଥାପନର ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜୟପୁର, ଘଟଗାଁ ଓ ବାରିପଦାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପରିସରରେ ପ୍ଲାନେଟୋରିଅମର ଲୋକାର୍ପଣ କରିଛନ୍ତି । ବିଜ୍ଞାନ ଓ ବୈଷୟିକ ଯୁଗରେ ଆମ ଓଡିଶାର ଛାତ୍ରଛାତ୍ରୀ ରୂପାନ୍ତରିକରଣ ସ୍କୁଲରେ ପାଠ ପଢି ନିଜର ଦକ୍ଷତାକୁ ବିକାଶ କରିବେ ଓ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରି ଓଡିଶା ବିକାଶର ସହାୟକ ହେବେ । ରାଜ୍ୟସଭା ସଦସ୍ୟ ସୁଜିତ କୁମାର ନିଜ ବକ୍ତବ୍ୟରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ବିଜ୍ଞାନ ଦିବସର ଶୁଭେଚ୍ଛା ଜଣାଇ ୧୧ଟି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ନିଆଯାଇଥିବା ଜିଲ୍ଲା ବିଜ୍ଞାନ କେନ୍ଦ୍ରର ସ୍ଥାପନ ପଦକ୍ଷେପକୁ ପ୍ରଶଂସା କରି ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଜ୍ଞାନ ଲାଭକରି ଛାତ୍ରଛାତ୍ରୀମାନେ ଓଡିଶାର ତଥା ଦେଶରେ ରାଜ୍ୟର ନାମ ରଖିବେ ବୋଲି ଆଶା ପ୍ରକାଶ କଲେ । ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଆଭାଷୀରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ, ମନ୍ତ୍ରୀ, ବିଧାୟକ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରପରିଷଦ ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଡି.ଇ.ଓ ସୁଶାନ୍ତ ଚୋପଦାର, ଡି.ଆଇ.ପି.ଆର୍.ଓ ମନୋଜ ବେହେରା, ଶିକ୍ଷା ବିଭାଗର କର୍ମକର୍ତ୍ତା ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।