ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଭିନ୍ନକ୍ଷମମାନଙ୍କ ଅଧିକାର ଓ ଅଧିନିୟମ-୨୦୧୬ ଏବଂ ବିଭିନ୍ନ ଯୋଜନା ସଂପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କ ଅଧିକାର ଏବଂ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଭିନ୍ନକ୍ଷମ ଅଧିକାର ଅଧିନିୟମ-୨୦୧୬ରେ ଥିବା ବ୍ୟବସ୍ଥା ଓ ଭିନ୍ନକ୍ଷମମାନଙ୍କ ପାଇଁ ମିଳୁଥିବା ସୁବିଧା ସୁଯୋଗ ଉପରେ ସେ ସବିବେଷ ଆଲୋଚନା କରିଥିଲେ । ଭିନ୍ନକ୍ଷମମାନଙ୍କୁ ସ୍ୱାବଲମ୍ବୀ କରିବା ତଥା ସେମାନଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ସେ ସୂଚନା ଦେବା ସହ ଭିନ୍ନକ୍ଷମମାନଙ୍କ ସାମାଜିକ, ଅର୍ଥନୈତିକ ଉନ୍ନତି ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାପାଳ ଚଂଚଳ ରାଣା ଏହି ସଚେତନତା ଶିବିରରେ ବକ୍ତବ୍ୟ ରଖି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସଂପର୍କରେ ଆଲୋକପାତ କରି ଏ ସଂପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସଚେତନତା ଶିବିରରେ ଦୁଇ ଦମ୍ପତ୍ତି ଦୁର୍ଯ୍ୟୋଧନ ସାହୁ ଓ କମଳିନୀ ସାହୁ ଏବଂ ବନମାଳି ସେଠ୍ ଓ ବାସନ୍ତୀ ସେଠ୍ଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରତ୍ୟେକ ଦମ୍ପତ୍ତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ୍ ଓ ଜଣେ ହିତାଧିକାରୀ ରାଜକୁମାର ବାଗଙ୍କୁ ହୁଇଲ୍ ଚେୟାର୍ ପ୍ରଦାନ କରାଯାଇଥିଲା । ଏହି ସଚେତନତା ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲୀପ କୁମାର ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଭୀମ ସାହୁ, ଉପ ଜିଲ୍ଲାପାଳ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବିଡ଼ିଓ, ତହସିଲଦାର, ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ସଚେତନତା ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିବା ସହ ସଚେତନତା ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ ।