ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ମକୁନ୍ଦପୁର ପଞ୍ଚାୟତ ଭୀମ ପାହାଡ଼ରେ ୨୦୨୧ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଉପଜିଳ୍ଲାପାଳ ଲମ୍ବୋଦର ଧରୁଆ, ତହସିଲଦାର ଯୁଗଲ କିଶୋର ବିଶ୍ୱାଲ, ବିଡିଓ ମୁରଳୀଧର ନାଏକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକିଶୋର ସାହୁ, ସିଡିପିଓ ସୁକାନ୍ତି ବେହେରା, ସାଂସଦ ପ୍ରତିନିଧି ଅମିତ ସିଂନିନା ପ୍ରମୁଖ ଯୋଗ ଦେଇଥିଲେ । ସୂଚନା ଅନୁସାରେ ଦେଓଗାଁ ବ୍ଲକର ଶେଷ ସୀମା ତଥା ପର୍ଯ୍ୟଟନସ୍ଥଳୀ ଭୀମପାହାଡ଼ରେ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ କରିଥିବାରୁ ଦରଦୂରାନ୍ତରେ ଥିବା ପଞ୍ଚାୟତରୁ ଭିନ୍ନକ୍ଷମ ହିତାଧିକାରୀମାନେ ପହଞ୍ଚି ପାରିନଥିଲେ । ଦେଓଗାଁ ବ୍ଳକର ବ୍ଲକ କାର୍ଯ୍ୟାଳୟ ଠିକ ମଝି ଭାଗରେ ଥିବାରୁ ସବୁ ଅଞ୍ଚଳର ଭିନ୍ନକ୍ଷମ ହିତାଧିକାରୀମାନେ ଯୋଗ ଦେଇଥାନ୍ତି । ଚଳିତ ବର୍ଷ ବ୍ଳକ କାର୍ଯ୍ୟାଳୟରେ ନ କରି ଏହାକୁ ବଣଭୋଜି ସ୍ଥଳରେ ରଖିବା ପାଇଁ ଚୁଡ଼ାନ୍ତ କରିଥିବାରୁ ଭିନ୍ନକ୍ଷମ ହିତାଧିକାରୀମାନେ ପହଞ୍ଚି ପାରି ନ ଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଦେଓଗାଁ ବ୍ଳକର ଅର୍ଜୁନପୁର, କୁଳୁତାପଡ଼ା, ଘୁଡ଼ଖାପଲା ପରି କିଛି ପଞ୍ଚାୟତର ହିତାଧିକାରୀ ଜାଣି ପାରି ନ ଥିବାରୁ ଏହି ସୁଯୋଗରୁ ବଞ୍ଚିତ ଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ଅଭିଯୋଗ ପାଇବା ପରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଶାନ୍ତ ବାଗଙ୍କୁ ପଚାରିବାରୁ ଦୂରତା ବିଷୟରେ ଅସୁବିଧାକୁ ସ୍ୱିକାର କରିଥିବା ବେଳେ ପଡ଼ୋଷୀ ପଞ୍ଚାୟତର ହିତାଧିକାରୀମାନଙ୍କ ପାଇଁ କରାଯାଇଛି ବୋଲି ସଫେଇ ଦେଇଛନ୍ତି । ଏହି ଶିବିରରେ ଶାରିରୀକ ଭିନ୍ନକ୍ଷମ ୭୦ଜଣ, ଶବଚ୍ଚ ବାଧିତ ୨୯ଜଣ, ଦୃଷ୍ଟି ବାଧିତ ଓ ମାନସିକ ଅନଗ୍ରସର ହିତାଧିକାରୀ ପଞ୍ଜିକୃତ କରିଥିବା ବେଳେ ମାତ୍ର ୫ ଜଣଙ୍କୁ ଶବଚ୍ଚ ଯନ୍ତ୍ର, ୭ ଜଣଙ୍କୁ ହ୍ୱିଲ ଚେୟାର, ୨ଜଣଙ୍କୁ ଟ୍ରାଇସାଇକଲ ଓ ୨ ଜଣଙ୍କୁ ବ୍ଲଇଣ୍ଡ ଷ୍ଟିକ ବଣ୍ଟନ କରାଯାଇଥିଲା । ଦେଓଗାଁ ବ୍ଳକରେ ଅନେକ ଯେଗ୍ୟ ହିତାଧିକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଥିବାରୁ ଅସନ୍ତୋଷ ବଢ଼ିଛି ।