ନଭେମ୍ବର ୧ରୁ ଭୀମପାହାଡ ମହୋତ୍ସବ : ଯୋଗଦେବେ ୧୫ଟି ସାସ୍କୃତିକ ଦଳ

  • ମହୋତ୍ସବ ଲୋଗୋ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ନଭେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ୧୦ମ ଭୀମପାହାଡ ମହୋତ୍ସବ ଅନୁଷ୍ଠିତ ହେବ । ଏହା ୧୦ମ ବର୍ଷରେ ପଦାର୍ପଣ କରିସାରିଛି । ଅଞ୍ଚଳବାସୀଙ୍କ ସହଯୋଗରେ ଭୀମପାହାଡ ମହୋତ୍ସବ କମିଟି ଓ ଗିରିଗୋବର୍ଦ୍ଧନ ପୂଜାକମିଟି ଏହାକୁ ଆୟୋଜନ କରୁଛି । ଏହି ମହୋତ୍ସବ ପାଇଁ କମିଟି ପକ୍ଷରୁ ବଲାଙ୍ଗିର ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ମହୋତ୍ସବ ନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଦେଓଗାଁ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦର ସଭାପତି ଦେବକୀ ସାହୁ, ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ସଂସ୍କୃତି ଗବେଷକ ଡ.ଘାସିରାମ ମିଶ୍ର ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗଦେଇ ଏହି ମହୋତ୍ସବର ଲୋଗୋକୁ ଉନ୍ମୋଚନ କରିଥିଲେ । କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଏହି ଅବସରରେ ସୂଚନା ଦେଇ କହିଛନ୍ତି ଯେ, ଗଣମାଧ୍ୟମ ଭୀମଡୁଙ୍ଗୁରୀର ଇତିହାସକୁ ଲୋକଲୋଚନକୁ ଆଣିଥିଲା ଯାହା ଫଳରେ ରାଜ୍ୟସରକାର ଏହାକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଲେ ଓ ଅନେକଗୁଡିଏ ବିକାଶମୂଳକ କାମ ଚାଲିଛି । ଭୀମପାହାଡ ମହୋତ୍ସବ ଜରିଆରେ ସ୍ଥାନୀୟ ଲୋକଙ୍କୁ ଏକତ୍ରିତ କରି ଅଞ୍ଚଳର ବିକାଶ କାମକୁ ଆଗେଇ ନିଆଯାଉଛି । ଭୀମପାହାଡରେ ଆଗକୁ ଏକ ହରିଣପାର୍କ, ସ୍ୱାଧିନତା ସଂଗ୍ରାମୀ ଧରମସିଂ ମାଝୀ ମାନଦାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଏକ ଆଦିବାସୀ ମ୍ୟୁଜିୟମ ସ୍ଥାପନ କରିବାକୁ ପ୍ରୟାସ ଚାଲିଛି । ସେହିପରି ଭୀମଡୁଙ୍ଗୁରୀର ଐତିହ୍ୟର ଗବେଷଣା ପାଇଁ ବିଶ୍ୱ ବିଦ୍ୟାଳୟଗୁଡିକୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ମେହେର ସୂଚନା ଦେଇଥିଲେ । ମହୋତ୍ସବ ଆସନ୍ତା ନଭେମ୍ବର ୧ ତାରିଖରୁ କଳସ ଯାତ୍ରାରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଚାଲିବ । ୫ ଦିନ ଧରି ନାମ ସଂକିର୍ତ୍ତନ୍ୟ ସହ ଗିରିଗୋବର୍ଦ୍ଧନ ପୂଜା, ରାତିରେ କଂସଦରବାର ଓ ସାଂସ୍କୃତିକ ସଭା ତଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମହୋତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୫ଟି ସାଂସ୍କୃତିକଦଳ ଯୋଗ ଦେଉଥିବା ବେଳେ ପ୍ରତିଦିନ ବିଶିଷ୍ଟକଳାକାର ରବିନ୍ଦ୍ର ସାହୁଙ୍କ ଟିମ୍‌ କଂସଦରବାର କରିବେ । ନଭେମ୍ବର ୩ ତାରିଖରେ ଭୀମପାହାଡର ଅତିତ, ବର୍ତ୍ତମାନ ଓ ଭବିଷ୍ୟତ ଶୀର୍ଷକ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେବ । ଏଥିରେ ଦେଓଗାଁ ବ୍ଲକ ଓ ଆଖପାଖର ୧୦ଟି ହାଇସ୍କୁଲ ଓ କଲେଜର ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଯୋଗଦେବେ । ମହୋତ୍ସବରେ ପ୍ରଥମ ଦିନରେ ପୂର୍ବତନ ବିଧାୟକ ବିନୋଦ ପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ । ସେହିପରି ଦ୍ୱିତୀୟ ଦିନରେ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ତୃତୀୟ ଦିନରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଚତୁର୍ଥ ସଂଧ୍ୟାରେ ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ନିରଂଜନ ବିଶି ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ଗୌରଗୋଠ ଗ୍ରାମର ପାଟଖଣ୍ଡା ମହୋତ୍ସବ କମିଟି, ନୂଆପାଲି ଧନୁଯାତ୍ରା କମିଟି, ବଲାଙ୍ଗିର ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନ, ଓପିଏସ୍‌ସିରେ ସଫଳ ହୋଇଥିବା ଦେଓଗାଁ ବ୍ଲକର ଡ.ଆଲିସା ମେହେର ଓ ଗବେଷିକା ଡ.ସଂଧ୍ୟାରାଣୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିବାକୁ ସ୍ଥିର କରାଯାଇଛି । ଠିକ୍‌ ସେହିପରି ମକୁନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ସମିତିସଭ୍ୟମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଉଥିବା କମିଟିର ଅଧ୍ୟକ୍ଷ ଶ୍ରୀ ମେହେର ସୂଚନା ଦେଇଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର, ସଂପାଦକ ଗୋବର୍ଦ୍ଧନ ସାହୁ, କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ, ମକୁନ୍ଦପୁର ସରପଞ୍ଚ ଜାନକି ସାହୁ, ଶୈଳେନ୍ଦ୍ର ସାହୁ, ମଧୁସୂଦନ ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରୀନା ମେହେର, ନନ୍ଦକିଶୋର ନାଏକ, ରାଜେଶ କୁମାର ନାଏକ, ଦୟା ମହାକୁର, ଜତନ ବାରିକ, ବାସୁଦେବ ସା ଓ ଥବିର କମ୍ପ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.