ଦୁଷ୍କର୍ମକାରୀଙ୍କୁ ଗିରଫ ଦାବୀରେ ଏସ୍‌ପି ଅଫିସ ଘେରିଲା ଭୀମ ଆର୍ମି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଏସ୍‌ପି ଅଫିସ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ଓଡିଶା ଭୀମ ଆର୍ମି । ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଞ୍ଚଳର ଜଣେ ଦଳିତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ବାର ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ଦାବୀରେ ବରଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏସ୍‌ପିଙ୍କୁ ଘେରିଥିଲା ଭୀମ ଆର୍ମି । ବରଗଡ଼ ଆଇବିରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବରଗଡ଼ ପୋଲିସ ଓ ପ୍ରଶାସନଙ୍କ ଅବହେଳା ଉପରେ ନାରାବାଜି କରିଥିଲେ । ପ୍ରଥମେ ଏସ୍‌ପିଙ୍କୁ ଘେରିବା ସହ ପରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ବରଗଡ଼ ଜିଲ୍ଲାରେ ବାରମ୍ବାର ଦଳିତ ମାନଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର ହେଉଥିଲେ ମଧ୍ୟ ପୋଲିସ ପ୍ରଶାସନ ଚୁପ୍‌ ବସିଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ଖୁବଶୀଘ୍ର ପିଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ନହେଲେ ଆଗାମୀ ଦିନରେ ବରଗଡ଼ ବନ୍ଦ କରିବା ସହ ଓଡିଶା ମଧ୍ୟ ବନ୍ଦ କରିବାର ଚେତାବନୀ ଦେଇଛି ଓଡିଶା ଭୀମ ଆର୍ମି ।

Leave A Reply

Your email address will not be published.