ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ଯୁବ ମୋର୍ଚ୍ଚା ଝାରବନ୍ଧ ବ୍ଲକ ତରଫରୁ ଶତାଧିକ କାର୍ଯ୍ୟକର୍ତ୍ତା ସୋମବାର ଦିନ ଝାରବନ୍ଧ ମୁଖ୍ୟ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚି ସେଠାରେ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ସାମନ୍ତ ଶେଖର ମୁନାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନା ଅନୁସାରେ ଉନ୍ନୟନ ମୂଳକ ଯୋଜନାରେ କେନ୍ଦ୍ର ସରକାର ଅଞ୍ଚଳର ବିକାଶ ଓ ସାଧାରଣ ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ କୋଟି କୋଟି ଟଙ୍କା ପଠାଉ ଥିବା ବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା ଧର୍ମକୁ ଆଖି ଠାର ମାରି ସିଂହଭାଗ ଅର୍ଥ ହରିଲୁଟ କରି ଚାଲିଛନ୍ତି । ଗତ ମାସ ୧୬ ତାରିଖରେ ଯୁବମୋର୍ଚ୍ଚା ତରଫରୁ ବିନା କାମରେ ଅତିନିମ୍ନ ମାନର କାମ କରି ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବାର ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ନୂତନ ବିଡିଓ କାର୍ଯ୍ୟକର୍ତ୍ତାଙ୍କୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ବିଡିଓଙ୍କ ତଦନ୍ତ ରିପୋର୍ଟ ଚୋରକୁ ସମୁଦି ଡାକିଲା ପରି ହୋଇଛି । ଝାରବନ୍ଧ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବରିଷ୍ଠ ନେତା ମାନେ ସ୍ଥାନୀୟ ବ୍ଲକ ପ୍ରଶାସନର ଆର୍ଥିକ ଅନିୟମିତାରେ ସିଧା ସମ୍ପୃକ୍ତି ରହିଛି ବୋଲି ଆରୋପ କରିଥିଲେ । ବିଡିଓ ତାଙ୍କର କର୍ମଚାରୀ ମାନଙ୍କୁ ଘଣ୍ଟ ଘୋଡାଉଛନ୍ତି, ବିଡିଓ ପ୍ରକୃତ ତଥ୍ୟକୁ ଲୁଚାଇ ସାଧାରଣ ଜନତାଙ୍କ ପ୍ରତି ବିଶ୍ବାସଘାତ କରିଛନ୍ତି ବୋଲି ଅଭିଯୋଗ ହେଉଛି । ଯୁବମୋର୍ଚ୍ଚା ଏହାର ତଦନ୍ତ ଭିଜିଲାନ୍ସ ଅଧିନରେ ଦେବାକୁ ଜିଲ୍ଲା ପ୍ରଶାସନଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛି । ବିକାଶରେ ବାଧକ ସାଜିଥିବା ସାଧାରଣ ଜନତାଙ୍କ ଅର୍ଥକୁ ଆତ୍ମସାତ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ଆବଶ୍ୟକ ହେଲେ ବିଜେପି ସାଧାରଣ ଲୋକଙ୍କ ଅଧିକାର ଓ ସ୍ୱାର୍ଥ ପାଇଁ ଆଇନକୁ ହାତକୁ ନେବ ବୋଲି ପ୍ରଶାସନକୁ ଦୃଢ ଚେତାବନୀ ଦେଇଥିଲେ । ସଭାରେ ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ପ୍ରୀତେଶ ବହିଦାର, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ଜିଲ୍ଳା ପରିଷଦ ସଭ୍ୟା କୁମୁଦିନୀ ସାହୁ, ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ହରିହର ସାହୁ, ଡା ଲମ୍ବୋଦର ପଣ୍ତା, ପୁରନ୍ଦର ସାହୁଙ୍କ ସମେତ ଅନେକ ବରିଷ୍ଠ ନେତା ନିଜ ନିଜର ମନ୍ତବ୍ୟ ରଖିଥିଲେ । ମୁଖ୍ୟତ ମନରେଗା, ପାଇଖାନା ନିର୍ମାଣ, ଗୁହାଳ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନୁଦାନ ଅର୍ଥ ହରିଲୁଟ କରି ଧର୍ମବକ ସାଜିଥିବା ବ୍ଲକ ପ୍ରଶାସନକୁ ତୀବ୍ର ଭର୍ସନା କରାଯାଇଥିଲା । ଅନ୍ୟ ମଧ୍ୟରେ ବରିଷ୍ଠ ବିଜେପି ନେତା ଦୁର୍ଗାପ୍ରସାଦ ଅଗ୍ରୱାଲ, ମାନଭଞ୍ଜନ ପଧାନ, ଜୟ ନିଗମ, ଗମ୍ଭୀରା ବାଗ, ହରେକୃଷ୍ଣ ପଟେଲ, କୌଲାସ ଦିଶ୍ରୀ, ସୌକିଲାଲ ସାହା, ଯୋଗେନ୍ଦ୍ର ଭୋଇ, କୁନାଲ ପାଣିଗ୍ରାହୀ, ରୋଶନ ପାଣିଗ୍ରାହୀ, ମଣ୍ଟୁ ପାଣ୍ଡେ, ଅକ୍ଷୟ ପ୍ରଧାନ ବିଡିଓଙ୍କ ଦ୍ବାରା ପ୍ରସ୍ତୁତ ମିଥ୍ୟା ତଦନ୍ତ ରିପୋର୍ଟକୁ ନିଆଁରେ ଜାଳି ଦେଇଥିଲେ । ବିଡିଓଙ୍କ ଅନୁପସ୍ଥିତିରେ ତାଙ୍କ ଅଧିକାରୀ ପ୍ରାପ୍ତ ଟିକେଶ୍ୱର ପଟେଲ ଦାବୀପତ୍ର ଗ୍ରହଣ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ପ୍ରତିଶୃତି ଦେଇଥିଲେ ।
Prev Post