ଶ୍ରାବଣ ମାସର ପ୍ରଥମ ସୋମବାରରେ ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲରେ ଜଳାଭିଷେକ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବାରୁ ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାର ପ୍ରମୁଖ ଶୈବପୀଠ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସ୍ନାନ କରି ଜଳ ଉଠାଇ ମନ୍ଦିରକୁ ଯାଇ ଧୂପଦୀପ, ଫୁଲ, ଚନ୍ଦନ, ସିନ୍ଦୁର ସହ ବେଲପତ୍ର ଦେଇ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ପରେ ଶିବପଞ୍ଚାକ୍ଷର ଗାନ କରି ମହାଦେବଙ୍କୁ ଜଳାଭିଷେକ କରିଥିଲେ । ପ୍ରଭୁଙ୍କ ଉପରେ ପାଣି ଢ଼ାଳିବା ପାଇଁ ବାହୁଙ୍ଗି ଭାର ଧରି ରାସ୍ତାରେ ବୋଲ ବମ୍‌ ହର୍‌ହର୍‌ ବମ୍‌ ଧ୍ୱନୀର ତାଳେ ତାଳେ ଚାଲିଥିଲେ । କାଉଡ଼ିଆମାନଙ୍କ ବୋଲ୍‌ ବମ୍‌ ହର୍‌ହର୍‌ ବମ୍‌, ବାବାମଣି ନିଅ ଟାଣି, ଜଟିଆଧାରି ପାର କରେଗା ଆଦି ଧ୍ୱନୀରେ ଗଗନ ପବନ ମୁଖରିତ ହୋଇଥିବା ବେଳେ ଏକ ସାତ୍ତ୍ୱିକ ବାତାବରଣ ସୃଷ୍ଟି ହୋଇଥିଲା । କାଉଡ଼ିଆମାନଙ୍କୁ ଉତ୍ସାହିତ କରିବା ପାଇଁ ଗାଡ଼ିରେ ଡାକବାଜିଯନ୍ତ୍ର ଦ୍ୱାରା ବୋଲ ବମ୍‌ ଗୀତ ବାଜୁଥିବା ବେଳେ କାନ୍ଧରେ ପାଣିଭାର ଧରି ଶ୍ରଦ୍ଧାଳୁଙ୍କ ପାଦ ଆଗେଇ ଚାଲିଥିଲା ଶୈବପୀଠ ଅଭିମୁଖେ । ଏହି ଶ୍ରଦ୍ଧାଳୁଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ଭାଗ ନେଇଥିବା ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁଙ୍କ ଭିଡ଼ ରହିଥିଲା । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇଥିବା ଜଣାପଡିଛି । ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆଜି ସ୍ୱାସ୍ଥ୍ୟ ବିଭାଗର ଡ଼ାକ୍ତରମାନେ ଚିକିତ୍ସା କରି ଭକ୍ତମାନଙ୍କୁ ବିଭିନ୍ନ ଔଷଧ ବଣ୍ଟନ କରାଯାଇଥିଲା । ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.