ମା’ ସୁନାଦେଇଙ୍କ ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ଭିଡ

ନୂଆପଡା : ନୂଆପଡା ଜିଲ୍ଲାର କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟରେ ଅବସ୍ଥିତ ପବିତ୍ର ଶକ୍ତିପୀଠ ମା’ ସୁନାଦେଇ ମନ୍ଦିରରେ ଏବେ ଭକ୍ତି ଓ ଉତ୍ସାହର ମହୋତ୍ସବ ଚାଲିଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମା’ଙ୍କ ବାର୍ଷିକ ଯାତ୍ରା ଓ ଧାର୍ମିକ ଉତ୍ସବ ଧୁମଧାମରେ ଆୟୋଜିତ ହୋଇଯାଇଛି । ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଯାତ୍ରାରେ ଦୂରଦୂରାନ୍ତ ଓ ପଡ଼ୋଶୀ ରାଜ୍ୟରୁ ଆସୁଥିବା ଲକ୍ଷାଧିକ ଭକ୍ତମାନେ ମା’ଙ୍କ ଦର୍ଶନ ଲାଭ କରିଥିଲେ । ସମଗ୍ର ସୁନାବେଡ଼ା ଅଞ୍ଚଳରେ ଉତ୍ସବମୁଖର ପରିବେଶ ରହିଥିବା ବେଳେ “ଜୟ ମାଁ ସୁନାଦେଇ” ଘୋଷରେ ଗୁଞ୍ଜରି ଉଠୁଛି ପାହାଡ଼ ଓ ଜଙ୍ଗଲ । ଭକ୍ତି ଓ ଆସ୍ଥାର ପ୍ରତୀକ ମା’ ସୁନାଦେଇଙ୍କ ପବିତ୍ର ଶକ୍ତିପୀଠ ଏକ ଅନନ୍ୟ ଧାର୍ମିକ କେନ୍ଦ୍ରରେ ପରିଣତ ହୋଇଛି । ମା’ଙ୍କ ପ୍ରାଚୀନ ଗାଥା ଓ ଦୈବୀ ଶକ୍ତି ଉପରେ ଭକ୍ତମାନଙ୍କ ଅଟଳ ବିଶ୍ୱାସ ରହିଛି । ଭକ୍ତମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନୂଆପଡା ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯାତାୟାତ ନିୟନ୍ତ୍ରଣ, ପାନୀୟ ଜଳ ଓ ଚିକିତ୍ସା ସୁବିଧା ଏବଂ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା ରଖାଯାଇଛି । ମା’ ସୁନାଦେଇଙ୍କ ଯାତ୍ରା କେବଳ ଧାର୍ମିକ ଅନୁଷ୍ଠାନ ତାହା ନୁହେଁ, ଏହା ଲୋକଆସ୍ଥା ଓ ବିଶ୍ଵାସ, ସଂସ୍କୃତି ଓ ପରମ୍ପରାର ଏକ ସମାହାର । ମା’ଙ୍କ ଆଶୀର୍ବାଦ ଭିକ୍ଷା ପାଇଁ ଆସିଥିବା ଲକ୍ଷାଧିକ ଭକ୍ତଙ୍କ ଏହି ଭକ୍ତି ଭାବରେ ଏହି ଅଞ୍ଚଳ ବର୍ତ୍ତମାନ ଏକ ତୀର୍ଥକ୍ଷେତ୍ରରେ ପରିଣତ ହୋଇପଡିଛି ।

Leave A Reply

Your email address will not be published.