
ସ୍ୱନାମଧନ୍ୟ ଭେଷଜ ବିଶେଷଜ୍ଞ ପ୍ରଫେସର ଡ଼ାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ସାହୁଙ୍କୁ ମରୋଣତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଉ : ଶ୍ରଦ୍ଧାଞ୍ଜଳି ସଭାରେ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ପ୍ରସ୍ତାବ
ବ୍ରହ୍ମପୁର, (କେପିଏନ୍ଏସ୍) : ଦିବଂଗତ ସ୍ୱନାମଧନ୍ୟ ଭେଷଜ ବିଶେଷଜ୍ଞ ତଥା ବିଶିଷ୍ଟ ସମାଜସେବୀ ପ୍ରଫେସର ଡ଼ାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଅନ୍ତର୍ଜାତୀୟ ସ୍ତରରେ ରୋଗୀସେବା ନିମନ୍ତେ ନିଜର ଯେଉଁ ଛାପ ଛାଡ଼ି ଯାଇଛନ୍ତି, ତାହା ସମଗ୍ର ମାନବ ସମାଜ ପାଇଁ ଉଦାହରଣୀୟ ଓ ଅବିସ୍ମରଣୀୟ ହୋଇ ରହିବ । ସେ କେବଳ ଜଣେ ଡ଼ାକ୍ତର ନଥିଲେ ବରଂ ଗରିବ ଓ ନିଃସହାୟ ଜନତାଙ୍କର ସେ ଥିଲେ ଜଣେ ତ୍ରାଣକର୍ତ୍ତା । ଏଭଳି ଜଣେ ବିରଳ ବ୍ୟକ୍ତିତ୍ୱଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କଲେ ତାହା ଦିବଂଗତ ଡା. ପି.ସି. ସାହୁଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ ବୋଲି ସ୍ଥାନୀୟ ନବୀନ ଭବନ ପରିସରରେ ଆୟୋଜିତ ସ୍ମୃତିସଭାରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ ଶ୍ରୀ ରଥ କହିଲେ ପ୍ରଫେସର ସାହୁ ଥିଲେ ଦ୍ରୋଣଙ୍କ ପରି ଗୁରୁ, ଗୋପବନ୍ଧୁଙ୍କ ପରି ସମାଜସେବୀ ଓ ଦଧୀଚୀଙ୍କ ଭଳି ଦାନୀ । ତାଙ୍କର ସମଗ୍ର ଜୀବନ ସମାଜସେବା ପାଇଁ ଉତ୍ସର୍ଗୀକୃତ ଥିଲା ଏବଂ ମୃତ୍ୟୁ ପରେ ତାଙ୍କର ମରଶରୀରକୁ ଡ଼ାକ୍ତରୀ ଗବେଷଣା ନିମନ୍ତେ ଦାନ କରିଯାଇଛନ୍ତି ।। ଏହି ଶୋକସଭାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ଦିବଂଗତ ପ୍ରଫେସର ଡ଼ା. ସାହୁଙ୍କ ଜୀବନାୟନ ସମ୍ପର୍କରେ ବିଶଦ୍? ଭାବେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଡ଼. ଡ଼ମ୍ବରୁଧର ସାହୁ, ବର୍ଷିୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ମହାନ ସଂଘର ସଭାପତି ସୁଶାନ୍ତ ସାବତ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ଜନ ଆନ୍ଦୋଳନ ନେତା ପ୍ରଫୁଲ୍ଲ ସାମନ୍ତରା, ଡ଼ା. ସାଗର ରଂଜନ ତ୍ରିପାଠୀ, ଡ଼ା. ମିହିର ଦାସ, ଡ଼ା. ଆର.ସି. ପଣ୍ଡା, ନବୀନର ପ୍ରକାଶିକା ମଞ୍ଜୁ ରଥ, ଶିକ୍ଷକ ନେତା ଅଶୋକ ଦଳାଇ, ସମାଜସେବୀ ରାମକୃଷ୍ଣ ପାତ୍ର, ସ୍ୱର୍ଗତ ଡ଼ା. ପି.ସି. ସାହୁଙ୍କ ସୁପୁତ୍ର ଇଂ. ଲଲାଟେନ୍ଦୁ ସାହୁ, ବନ୍ଦନା ମହାପାତ୍ର, ତପନ ପଣ୍ଡା, ଇଂ. ମାନସ ରଂଜନ ତ୍ରିପାଠୀ, ସାମ୍ବାଦିକ ପବିତ୍ର ଚୌଧୁରୀ ପ୍ରମୁଖ ଯୋଗଦେଇ ଦିବଂଗତ ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ସାହୁଙ୍କ ଜୀବନୀ ଓ ସମାଜ ପାଇଁ ତାଙ୍କର ବହୁମୂଲ୍ୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଭାରତ ସରକାରଙ୍କ ତରଫରୁ ପ୍ରଫେସର ଡ଼ାକ୍ତର ସାହୁଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଉ ବୋଲି ଆୟୋଜିତ ସ୍ମୃତିସଭାରେ ପ୍ରସ୍ତାବ ଦିଆଯାଇଥିଲା । ପ୍ରାରମ୍ଭରେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା । ଶେଷରେ ସୁଶାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ ।