jayashree

ଭୀମପାହାଡ ମହୋତ୍ସବ ୨୦୨୩ର ପ୍ରଥମ ସନ୍ଧ୍ୟା

  • ମୁଖ୍ୟ ଆକର୍ଷଣ ରାବଣ ଦରବାର ସହ ଘୁଡୁକା, ଢାପ, ସମ୍ବଲପୁରୀ ନୃତ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀରେ ୯ମ ଭୀମପାହାଡ ମହୋତ୍ସବ ଆରମ୍ଭ ହୋଇଯାଇଛି । ପ୍ରଥମ ସଂଧ୍ୟାର ସାଂସ୍କୃତିକ ସଭାରେ କେବଳ ମହିଳା ଅତିଥି ରହିଥବା ଦେଖିବାକୁ ମିଳିଛି । ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଦେବକୀ ସାହୁ, ସମ୍ମାନୀତ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଦେଓଗାଁ ବ୍ଲକର ଦୁଇ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ମମତା କୁମୁରା, ଶ୍ରୀମତୀ ସୁମତି ସେଠ ଓ ମକୁନ୍ଦପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଜାନକୀ ସାହୁ ଯୋଗଦେଇଥିଲେ । ମୁଖ୍ୟଅତିଥି ଶ୍ରୀମତୀ ଦେବକୀ ସାହୁ ତାଙ୍କ ବକ୍ତବ୍ୟରେ ଭୀମପାହାଡ ମହୋତ୍ସବ ଏହି ପୀଠର ଗାରିମାକୁ ବଢାଇବା ସହିତ ଅଞ୍ଚଳର ଉନ୍ନତିରେ ସହାୟକ ହେବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବହୁତ ଅନୁଦାନ ଦେଉଛନ୍ତି ତେଣୁ ଆମେ ତାଙ୍କୁ କୃତଜ୍ଞତା ଜଣାଉଛୁ ବୋଲି କହିଥିଲେ । ସେହିପରି ପୌରାଧ୍ୟକ୍ଷା ଲିକା ସାହୁ ତାଙ୍କ ବକ୍ତବ୍ୟରେ ବଲାଙ୍ଗିର ଜିଲ୍ଲାର ବରିଷ୍ଠ ନେତା ଅନଙ୍ଗଉଦୟ ସିଂହଦେଓ, କଳିକେଶ ନାରାୟଣ ସିଂହଦେଓ ଓ ଅର୍କେଶ ନାରାୟଣ ସିଂହଦେଓ ଏହି ଅଞ୍ଚଳର ଉନ୍ନତିରେ ସବୁବେଳେ ରହିଆସିଛନ୍ତି ବୋଲି କହିଥିଲେ । ଭୀମଡୁଙ୍ଗୁରୀ ପୀଠର ବିକାଶ ପାଇଁ ଲକ୍ଷ୍ମଣ ମେହେର ଓ ଅଞ୍ଚଳବାସୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ସେହିପରି ଦେଓଗାଁ ବ୍ଲକ ଅଞ୍ଚଳର ସାମଗ୍ରୀକ ବିକାଶରେ ସେମାନେ ସବୁବେଳେ ସହଯୋଗ କରିବେ ବୋଲି ଦୁଇ ଜିଲ୍ଲା ପରିଷଦ ସଭ୍ୟା ମମତା କୁମୁରା ଓ ସୁମତି ସେଠ କହିଥିଲେ । ଏହି ଅବସରରେ ବିଶିଷ୍ଠ ମଞ୍ଚଅଭିନେତା ରବିନ୍ଦ୍ର ସାହୁ ଓ ସାଥୀଙ୍କ ଦ୍ୱାରା ରାବଣ ଦରବାର କରାଯାଇଥିଲା । ଏହି ଅବସରରେ ବଡବାହାଲର ମହିଳା ସାଂସ୍କୃତିକ ଦଳ, ବଡଡୁଙ୍ଗୁରିପାଲି ଦଳକୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ଦିନରେ ଡ.ପବିତ୍ର ଡନସେନା ଓ ସାଥୀଙ୍କ ଘୁଡୁକାନାଚ, ପୁଇଁତଲା ଘୁଙ୍ଗୁରୁ କଳାପରିଷଦର ପାରଂମ୍ପରିକ ନୃତ୍ୟ, ଟିଟିଲାଗଡ ମନିଗାଁର ଢାପନୃତ୍ୟ, ଥାଲବନ୍ଧର ବର୍ଣ୍ଣାଳି କଳାପରିଷଦର ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭୀମପାହାଡ ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ସଭାପତି ପ୍ରମୋଦ ବହିଦାର, କୋଷାଧ୍ୟକ୍ଷ ତଥା ମକୁନ୍ଦପୁର ସମିତି ସଭ୍ୟ ଅଭିମନ୍ୟୁ ମାଝୀ, ଉପଦେଷ୍ଟା ଶୈଳେନ୍ଦ୍ର ସାହୁ ଓ ଅନ୍ୟାନ୍ୟ କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ମହୋତ୍ସବକୁ ଅଞ୍ଚଳର ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ । ସକାଳୁ ମହୋତ୍ସବ ଉପଲକ୍ଷେ ଜରାସିଂହାର ପାଟଖଣ୍ଡାପୀଠ ଓ କୁମୁରିଆ ସୁଲିଆପୀଠରୁ ମଶାଳ ଶୋଭାଯାତ୍ରାରେ ଆସିଥିଲା । ଏହାକୁ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ ଗ୍ରହଣ କରି ସ୍ଥାପନା କରିଥିଲେ ।

Leave A Reply

Your email address will not be published.