ଦେଓଗାଁ, (ମନୀଷ କୁମାର ସାହୁ) : ହାତରେ ମାରଣାସ୍ତ୍ରଧରି ଲୋକଙ୍କୁ କଲେ ଭୟଭୀତ । ଦେଓଗାଁ ବସ୍ତି ଭିତରେ ବନ୍ଧୁକ ଓ ଖଣ୍ଡାଧରି ବୁଲିଲେ ଯୁବକ । ୩ଟି ବାଇକରେ ୯ଜଣ ଯୁବକ ବୁଲି ଲୋକଙ୍କୁ କଲେ ଆତଙ୍କିତ । କାର୍ଯ୍ୟାନୁଷ୍ଠାନ ପାଇଁ ଦେଓଗାଁ ପୁଲିସକୁ ଅଭିଯୋଗ କରିଛନ୍ତି ଗାଁ ଲୋକେ । ଏପରି ଏକ ଘଟଣା ଦେଖିବାକୁ ମିଲିଛି ଦେଓଗାଁ ଥାନାରେ । ଦେଓଗାଁ ଥାନା ଅଞ୍ଚଳରେ ଦିନକୁ ଦିନ ଅରାଜକତା ସୃଷ୍ଟି ହୋଇ ଆଇନ ଶୃଙ୍ଖଳା ବିଗିଡିବାରେ ଲାଗିଛି । ଏଠି କଥା କଥାରେ ବାହାରୁଛି ଧାରୁଆ ଅସ୍ତ୍ର । ତେବେ ସୋମବାର ସନ୍ଧ୍ୟାରେ କିଛି ଯୁବକ ବନ୍ଧୁକ, ଖଣ୍ଡା ତରୁଆଲଧରି ଦେଓଗାଁ, କଛାରପାଲିରେ ଆତଙ୍କ ସୃଷ୍ଟି କରିଛନ୍ତି । ଏହି ଯୁବକମାନେ ବାଇକରେ ଦୃତ ଗତିରେ ଯାଇ ବନ୍ଧୁକ ଦେଖାଇ ଲୋକଙ୍କୁ କରିଛନ୍ତି ଭୟଭୀତ । ଯାହାର ଦୃଶ୍ୟ ବସ୍ତି ଭିତରେ ଲାଗିଥିବା ବିଭିନ୍ନ ସିସିଟିଭିରେ କଏଦ ହୋଇଛି । ତେବେ କାହିଁକି ଏହି ଯୁବକମାନେ ହାତରେ ମାରଣାସ୍ତ୍ର ଧରି ଲୋକଙ୍କୁ ଭୟଭୀତ କରୁଥିଲେ, କାହାକୁ ଜୀବନରେ ମାରି ଦେବା ପାଇଁ ଆସିଥିଲେ ନା ଡକାୟତି ପାଇ ଆସିଥିଲେ ସେସବୁକୁ ନେଇ ପ୍ରଶ୍ନ ଉଠିଛି । ଦେଓଗାଁ ସାହୁପଡ଼ା ଭିତରେ ଅଟକି ରହି ମହିଳା, ପୁରୁଷଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଜଣେ ବ୍ୟକ୍ତିଙ୍କୁ ଜୀବନରେ ମାରିଦେବୁ ବୋଲି ଚିତ୍କାର କରି ଫେରାର ହୋଇଯାଇଥିଲେ ବୋଲି ସ୍ଥାନୀୟ ବାସିନ୍ଦା କହୁଛନ୍ତି । ଏହି ଯୁବକମାନେ ୩ଟି ବାଇକରେ୯ଜଣ ଆସିଥିଲେ ବୋଲି ସୂଚନା ମିଳିଛି । ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ଘୁରି ବୁଲିଥିବାରୁ ଗାଁ ଲୋକେ ଭୟଭୀତ ହୋଇ ପଡିଥିଲେ । ଏନେଇ ଦେଓଗାଁ ପ୍ରଗତି ଯୁବକ ସଂଘ ପକ୍ଷରୁ ଅରାଜକତା ସୃଷ୍ଟି କରୁଥିବା ଯୁବକମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦେଓଗାଁ ପୁଲିସକୁ ଏକ ଦାବୀପତ୍ର ଦିଆଯାଇଛି । ତେବେ ଦେଓଗାଁ ଥାନା ଅଞ୍ଚଳରେ ଏଭଳି କାର୍ଯ୍ୟ ଦିନକୁଦିନ ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ହୋଇ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଏଣୁ ଏଦିଗରେ ରାଜ୍ୟ ପୁଲିସ ମୁଖିଆ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।