ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଅଞ୍ଚଳର ଜଙ୍ଗଲ ନିକଟ ବର୍ତ୍ତି ଗାଁ ଗୁଡ଼ିକରେ ଉପଦ୍ରବ କରି ୩ ମଣିଷ,୧୦ରୁ ଅଧିକ ଗାଈ ମାରିଥିବାବେଳେ ୨୨ ତାରିଖ ପ୍ରାୟ ରାତି ୨ଟା ହେବ ସ୍ଥାନୀୟ ଧବଳେଶ୍ୱର ମନ୍ଦିରର ନିକଟରେ କିଛି ଖାଇବା ସହ ଗଛ, ପାଚେରୀ ଭାଙ୍ଗିଥିବା ନେଇ ମନ୍ଦିର ପୂଜକ ସନ୍ତୋଷ କୁମାର ମୁନିଙ୍କ ଠାରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଦନ୍ତା ହାତୀଟି ଧବଳେଶ୍ଵର ମନ୍ଦିରଠାରୁ ଚମ୍ପା ସାହି, କଚେରୀ ସାହି, ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଅଞ୍ଚଳ ଦେଇ ନିକଟସ୍ଥ ବିଲ ମାଳରେ ପଶି ଗାମୁଲି ଜଙ୍ଗଲକୁ ପଳେଇ ଯାଇଛି । ଉକ୍ତ ଦନ୍ତା ହାତୀକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ପ୍ରତିବାଦରେ ଗତ ୧୯ ତାରିଖରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ୨୦ ଖଣ୍ଡ ଗାଁର ହଜାର ହଜାର ମହିଳା ପୁରୁଷ ଜି.ଉଦୟଗିରି, କଳିଙ୍ଗା ବନ୍ଦ ଡାକରା ଦେଇ ବିଶାଳ ରାଲିରେ ଯାଇ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ଓ ବିଡିଓଙ୍କୁ ଲିଖିତ ଦାବିପତ୍ର ଦେଇଥିଲେ । ହାତୀ ଏବେ ସହର ମଝିରେ ପଶିବା ଖବର ପାଇ ସହର ବାସି ଭୟଭୀତ ଥିବା ଦେଖିବାକୁ ମିଳିଛି । ଏଥି ପ୍ରତି ଜଙ୍ଗଲ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି ।
