ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ସୋମବାର ଦିନ ବର୍ଦ୍ଧିତ ଭତ୍ତା ୮୦ ବର୍ଷରୁ ଅଧିକ ବୟସ୍କ ଓ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବାଣ୍ଟିଛନ୍ତି ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ପୁରୀ ସାଂସଦ ଡ଼କ୍ଟର ସମ୍ବିତ ପାତ୍ର । ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ପ୍ରତିଶ୍ରୁତି ଦେଇଥିଲା ଆମ ସରକାରକୁ ଆସିବା ମାତ୍ରକେ ୩୫୦୦ ଟଙ୍କା ସାମାଜିକ ଭତ୍ତା ଟଙ୍କା ବୃଦ୍ଧି କରାଯିବ । ଏବେ ସରକାରକୁ ଆସିବା ପରେ ଆଜି ସାମାଜିକ ସୁରକ୍ଷା ଯୋଜନାରେ ବର୍ଦ୍ଧିତ ଭତ୍ତା ବଣ୍ଟନ କରାଯାଇଛି । ଡେଲାଙ୍ଗ ବ୍ଲକରେ ୨୧ଟି ପଞ୍ଚାୟତର ସମୁଦାୟ ୨୪୦୪ ଜଣଙ୍କ ମଧ୍ୟରୁ ୨୧୦ ଜଣଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିସଙ୍କ, ବିଡ଼ିଓ କ୍ଷିତିଶ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକ ସମେତ ଡେଲାଙ୍ଗ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟା, ପିଇଓ, ଜିଆରଏସ୍ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ । ସେହିପରି ବକେୟା ରହିଥିବା ହିତାଧିକାରୀମାନେ ନିଜ ନିଜ ଗ୍ରାମ ପଞ୍ଚାୟତରୁ ବାର୍ଦ୍ଧକ୍ୟ ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ନେଇପାରିବେ ବୋଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତପନ କୁମାର ଦାଶ ସୂଚନା ଦେଇଛନ୍ତି । ପୂର୍ବରୁ ୧୨୦୦ ଟଙ୍କା ପାଉଥିବା ବେଳେ ଏବେ ୩୫୦୦ ଟଙ୍କା ୮୦ ବର୍ଷରୁ ଅଧିକ ବୟସ୍କ ହିତାଧିକାରୀ ଓ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ହିତାଧିକାରୀ ଭତ୍ତା ଟଙ୍କା ପାଇ ଖୁସି ଅନୁଭବ କରିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ୩ ଜଣ ଦିବ୍ୟାଙ୍ଗ ପ୍ରଦୀପ୍ତ କୁମାର ବାରିକ, ଲଲାଟ କିଶୋର ସ୍ୱାଇଁ, ସନ୍ତୋଷ ସ୍ୱାଇଁଙ୍କୁ ୩ଟି ଇ -ଅଟୋ ପ୍ରଦାନ କରିଥିଲେ ।
Next Post