ପୁଇଁନ୍ତଲା ବ୍ଲକରେ ବନ୍ୟା ବିତ୍ପାତ : ଭାସିଗଲେ ଛାତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଦୁଇ ଦିନ ହେଲା ବଲାଙ୍ଗିରରେ ପ୍ରବଳ ବର୍ଷା ହେଉଛି । ଜିଲ୍ଲାର ସମସ୍ତ ତଳି ଅଂଚଳ ବନ୍ୟା ବିତ୍ପାତର ସମ୍ମୁଖିନ ହୋଇଥିବା ବେଳେ ପୁଇଁନ୍ତଲା ବ୍ଲକ, ଭାଲେର ପଂଚାୟତ ଅନ୍ତର୍ଗତ ଫଟକରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଖେତରେ ଲାଗିଥିବା ପାଣିପମ୍ପ ବଂଚାଇବାକୁ ଯାଇ ଜଣେ ୧୮ ବର୍ଷର ଛାତ୍ର ବନ୍ୟା ଜଳରେ ଭାସି ଯାଇଥିବା ସୂଚନା ମିଳିଛି । ଜିଲ୍ଲାରେ ଏ ବର୍ଷ ମାତ୍ର ୫୦ ପ୍ରତିଶତ ବର୍ଷା ହୋଇଥିବା ବେଳେ ପ୍ରାୟତଃ ଅଂଚଳ ଗଜା ମରୁଡିର ସମ୍ମୁଖିନ ହୋଇଥିଲା । ସ୍ଥିତି ସୁଧାର କରିବା ପାଇଁ ବିଭିନ୍ନ ଅଂଚଳରେ ପମ୍ପ ଯୋଗେ ନଦୀ ଜଳ ସେଚନ କରିବାର ବ୍ୟବସ୍ଥା କରାଯାଇଥିଲା । ଫଟକରା ଗ୍ରାମର ଯଦୁମଣି ନାଏକଙ୍କ ଚାଷ ଜମିକୁ ସେଚନ କରିବା ପାଇଁ ସ୍ଥାନୀୟ ଫଟକରା ନାଳାରୁ ପମ୍ପ ସଂଯୋଗ କରାଯାଇଥିଲା । ଗତକାଲି ପ୍ରବଳ ବର୍ଷାରେ ଉକ୍ତ ନାଳାରେ ପ୍ରଚୁର ପାଣି ପ୍ରବାହିତ ହୋଇ ନାଳସୀମା ଉଲ୍ଲଙ୍ଘନ କରି ରାସ୍ତା ଉପରକୁ ପାଣି ମାଡିଥିଲା । ଆଜି ସକାଳୁ ଯଦୁମଣିଙ୍କ ସାନ ପୁଅ ସୁଧାଂଶୁ ନାଏକ ଚାଷ ଜମିକୁ ଯାଇଥିଲେ । ଏହି ସମୟରେ ବଢି ଯୋଗୁଁ ପାଣିପମ୍ପ ଭାସିଯିବା ଆଂଶକା କରି ପମ୍ପ ଉଦ୍ଧାର କରିବା ପାଇଁ ନାଳକୁ ପ୍ରବେଶ କରି ବନ୍ୟା ଜଳରେ ଭାସିଯାଇଥିଲେ । ଲୋକ ଅଭିଯୋଗ କଲା ପରେ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ କଂଗ୍ରେସ ସଭାପତି ଉମାକାନ୍ତ ସାହୁଙ୍କୁ ନେତୃତ୍ୱରେ ଘଟଣା ସ୍ଥଳକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ନିଖୋଜ ଛାତ୍ରକୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିବା ସହ ଓଡ୍ରାଫ ଟିମ୍‌କୁ ଘଟଣା ସ୍ଥଳକୁ ଡାକିଥିଲେ । ଓଡ୍ରାଫ ଟିମ୍‌ ଘଟଣା ସ୍ଥଳକୁ ପହଞ୍ଚି ଖୋଜାଖୋଜି ପ୍ରୟାସ ଜାରି ରଖିଛି । ଘଟଣା ସ୍ଥଳରେ ବିଡିଓ ରବିନାରାୟଣ ଆଚାର୍ଯ୍ୟ, ତହସିଲଦାର ରୋହିତ ଭୋଇଙ୍କ ସହ ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ବ୍ଲକ ସାଧାରଣ ସଂପାଦକ ଶ୍ରୀନିବାସ ନାଏକ, କୋଷାଧ୍ୟକ୍ଷ ଲଳିତ ପଟେଲ ଏବଂ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.