oum

ଭସାଣି ଉତ୍ସବ : ବିଦାୟ ନେଲେ ମା’ ଦୁର୍ଗା

jsm

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ଶେଷ ହେବା ପରେ ଗୁରୁବାର ମା’ଙ୍କୁ ବିଦାୟ ଦିଆଯାଇଛି । କୁଳକଇଜଙ୍ଗା ନୂଆପାରୀ ଜଗତଗୁରୁ ରାମାନନ୍ଦାଚାର୍ଯ୍ୟଙ୍କ ପୀଠର ବିଂଶଭୁଜା ଦୁର୍ଗା, ଅଲାଣ୍ଡୋ ଦୁର୍ଗା, ବାଲିଆ ଦୁର୍ଗା, ହାଜିପୁର ଦୁର୍ଗା ଓ ବିରିଡ଼ି ହାଟ ଦୁର୍ଗା ପୂଜା ମଣ୍ଡପ, ବାଲିଆରେ ସୋଲ ନିର୍ମିତ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ବିଦାୟ ଦିଆଯାଇଛି । ଏଭଳି ପ୍ରାୟ ୧୮ଟି ମେଢ଼କୁ ଗୁରୁବାର ଭସାଣି ଉତ୍ସବରେ ନିଆଯାଇଛି । ବାଲିଆ ଗୋପୀନାଥପୁର ଶାନ୍ତି କମିଟି ଆନୁକୂଲ୍ୟରେ ଶାନ୍ତି ଶୃଙ୍ଖଳା ସହ ଭସାଣି ଅନୁଷ୍ଠିତ ହୋଇଥିବା ବେଳେ କିଛି ମେଢ ବିଲୁଆଖାଇ ନଦୀରେ ବିସର୍ଜନ କରାଯାଇଛି । ଅନ୍ୟ ସମସ୍ତ ମେଢ ମାଛଗାଁ କେନାଲରେ ବିସର୍ଜନ ହୋଇଥିଲା । ବିରିଡ଼ି ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା । ଚଳିତ ବର୍ଷ ବିରିଡ ବ୍ଲକରେ ୧୧ଟି ମା’ ଦୁର୍ଗାଙ୍କ ମଣ୍ଡପ ହୋଇଥିବା ବେଳେ ୮୦ ସ୍ଥାନରେ ଅନ୍ୟାନ୍ୟ ଦେବାଦେବୀଙ୍କ ପୂଜା ହୋଇଥିଲା । ତିର୍ତ୍ତୋଲ ବ୍ଲକରେ ମଧ୍ୟ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଥାନା ଗଡା ଓ ନେହେରୁ କଲୋନୀ ମେଢ଼ ପୂଜା କମିଟି ଦ୍ୱାରା ବିସର୍ଜନ ହୋଇଛନ୍ତି । ଥାନା ଗଡା ପୂଜା କମିଟି ତରଫରୁ ସଭାପତି ମନୋରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ମଣ୍ଡପ ନିକଟରୁ ମେଢ଼ ସହ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରାଯାଇଥିଲା । ପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ କରାଯାଇଥିଲା । ସେହିଭଳି ନେହେରୁ କଲୋନୀ ମେଢ଼କୁ ରୋଶଣି ସହ ଭସାଣି ଶୋଭାଯାତ୍ରାରେ ନିଆଯାଇ ବିସର୍ଜନ କରାଯାଇଛି । ନାଉଗାଁ ବ୍ଲକରେ ଶାନିଶୃଙ୍ଖଳାର ସହ ମା’ଦୁର୍ଗାଙ୍କ ପୂଜା ଶେଷ ହୋଇଛି । ନାଉଗାଁ ବଜାର, ବ୍ଲକ ଛକ, କଂଟୁଣିଆ ହାଟ, ମୁଣ୍ଡାଳୋ, ଅଲଣା ହାଟ, ଗଙ୍ଗଦାହାଟ ଆଦିରେ ହୋଇଥିବା ମା’ଙ୍କ ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମିଥିଲା ।

Leave A Reply

Your email address will not be published.