ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝିଟିକି ଗ୍ରାମରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ନୂଆଁଖାଇ ପାଇଁ ନୃସିଂହନାଥ ମନ୍ଦିରକୁ ଆସିଲା ସାଲିଆନା ଭାର । ଝିଟିକି ଗ୍ରାମର ଚାଷୀମାନଙ୍କ ସହ ସମଗ୍ର ଗ୍ରାମବାସୀ ପ୍ରାୟ ୩୦୦ ପରିବାର ଗାଁରେ ଘର ଘର ବୁଲି ସଂଗ୍ରହ କରି ଥିଲେ ନୂଆଁଖାଇ ସାମଗ୍ରୀ । ସୋମବାର ପ୍ରାୟ ୩୫ ଜଣ ଗ୍ରାମବାସୀ ଚାଉଳ ୨କୁଇଣ୍ଟାଲ ୪୭ କେଜି, ମୁଗ ସାଢେ ୬କେଜି, ଘିଅ ଏକ କେଜି, ଗୁଡ ୨ କେଜି, ଲୁଣ ୫କେଜି ମାଖନ ୧୦ ଗୋଟି ନଡ଼ିଆ ୫ଗୋଟି ଓ ଅନ୍ୟପନି ପରିବା ସହ ଅଙ୍ଗୁର କଦଳୀ ଭାରରେ ଆଣି ନୃସିଂହନାଥ ମନ୍ଦିରର ଭଣ୍ତାର ମହୁରୀ ସତ୍ୟ ପୁରୋହିତ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ପାଖରେ ଜମା ଦେଇଛନ୍ତି । ଗ୍ରାମର ମୁଖିଆମାନଙ୍କ ସହ ୩୫ ଜଣ ଗ୍ରାମବାସୀ ସାଲିଆନା ଭାର ସହ ଆସିଥିଲେ । ସେମାନେ ସମସ୍ତେ ନୃସିଂହ ମହାପ୍ରଭୁଙ୍କୁ ଦର୍ଶନ କରି ଅନ୍ନ ପ୍ରସାଦ ଖାଇ ଖୁସିରେ ଘରକୁ ଫେରିଥିଲେ । ଏନେଇ ଗ୍ରାମବାସୀମାନଙ୍କୁ ପଚାରିବାରୁ ଆମେ ଆଣୁଥିବା ଜିନିଷ ନୂଆଖାଇ ଦିନ ଠାକୁରଙ୍କ ଠାରେ ଭୋଗ ଲାଗାଯାଇ ଭକ୍ତମାନଙ୍କୁ ଅର୍ଣ୍ଣ ପ୍ରସାଦ ବଣ୍ଟା ଯାଉଥିବାରୁ ପ୍ରତିବର୍ଷ ଆମେ ସାଲିଆନା ଭାର ମନ୍ଦିରକୁ ଆଣିଥାଉ ବୋଲି ସେମାନେ କହିଥିଲେ । ପ୍ରକାଶ ଥାଉକି ଆସନ୍ତା ଗୁରବାର ୨୮ତାରିଖ ୧୧ଟା ୫୧ ମିନିଟରୁ ୧୨ଟା ୨୧ ମିନିଟ ମଧ୍ୟରେ ନୃସିଂହନାଥ ମହାପ୍ରଭୁଙ୍କ ଠାରେ ନବାନ୍ନ ଭୋଗ ଲଗାଯିବ ।
