jayashree

ଖାଦ୍ୟ ଅନ୍ଵେଷଣରେ ଆସି ଗାଁ ଦାଣ୍ଡରେ ବୁଲୁଛି ଭାଲୁ : ସ୍ଥାନୀୟ ଲୋକେ ଭୟଭୀତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ଦାଣ୍ଡରେ ବୁଲୁଛି ଭାଲୁ । ଶୁକ୍ରବାର ସକାଳୁ ଏକ ଭାଲୁ ଖାଦ୍ୟ ଅନ୍ଵେଷଣରେ ଆସି ଗାଁରେ ରହିଯାଇଛି । ଭାଲୁଟିକୁ ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଭାଲୁକୁ ଦେଖିବା ପାଇଁ ଗାଁ ଲୋକମାନେ ରୁଣ୍ଡ ହୋଇଛନ୍ତି । ସୂଚନାନୁଯାୟୀ, ଶୁକ୍ରବାର ଭୋର ସକାଳୁ ସାଲିହା ଜଙ୍ଗଲରୁ ଏକ ଭାଲୁ ଖାଦ୍ୟ ଅନ୍ଵେଷଣରେ ଗୋଡଫୁଲା ଗାଁକୁ ଚାଲି ଆସିଥିଲା । ଭାଲୁଟିକୁ ଦେଖି ଗାଁ ଲୋକମାନେ ରୁଣ୍ଡ ହେବାରୁ ଭାଲୁଟି ଗାଁ ଦାଣ୍ଡରେ ଅଟକି ରହିଯାଇଛି । ତେବେ ଗ୍ରାମବାସୀମାନେ ଭାଲୁକୁ ନଡ଼ିଆ, କଦଳୀ ଖାଇବାକୁ ଦେଉଛନ୍ତି । ଯୁବକଙ୍କ ହାତରୁ ଭୋକିଲା ଭାଲୁ ଖାଦ୍ୟ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ସେପଟେ ଭାଲୁଟିକୁ ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ସୂଚନା ଥାଉକି, ସାଲିହା ଜଙ୍ଗଲକୁ ବନ ବିଭାଗ ଭାଲୁ କରିଡର ଘୋଷଣା କରିଛନ୍ତି । ଏହି ଜଙ୍ଗଲକୁ କଣ୍ଟାତାରରେ ପାଚେରୀ କରାଯାଇଥିଲା । ଏବେ ପାଚେରୀ ଭାଙ୍ଗି ଯାଇଥିବାରୁ ଭାଲୁ ସହଜରେ ବାହାରକୁ ଆସି ଗାଁ ମୁହାଁ ହେଉଛନ୍ତି । ଜଙ୍ଗଲରେ ବନ ବିଭାଗ ତରଫରୁ ଭାଲୁର ଖାଦ୍ୟ ପାଇଁ ବ୍ୟବସ୍ଥା କରାଯାଇ ନଥିବାରୁ ସେମାନେ ଗାଁରେ ପଶି ଖାଦ୍ୟ ସଂଗ୍ରହ କରୁଛନ୍ତି । ଏଭଳି ଅନେକ ସମୟରେ ନିକଟ ଗୋଡଫୁଲା ଗାଁକୁ ଭାଲୁ ପଶୁଥିବାର ନଜିର ରହିଛି । ତେବେ ଭାଲୁ ଲୋକଙ୍କ ହାତରୁ ଖାଦ୍ୟ ଖାଇ କାହାରି କିଛି କ୍ଷତି କରୁନଥିଲେ ମଧ୍ୟ କେତେବେଳେ ବି ଭାଲୁ ହିଂସ୍ର ହେବାର ଭୟ ରହୁଛି । ଏବେ ଭାଲୁ ଆକ୍ରମଣ ଭୟରେ ଲୋକଙ୍କ ଜୀବନ ପ୍ରତି ବିପଦ ରହୁଛି । ତେଣୁ ଭାଲୁକୁ ଖାଦ୍ୟ ଯୋଗାଇ ଦେବା ସହ ଭାଲୁ ଓ ଗାଁ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଗାଁ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.