ବଲାଙ୍ଗିରରେ ରାମଲୀଳାର ଭବ୍ୟ ମଞ୍ଚାୟନ : ବୃନ୍ଦାବନର କଳାକାରଙ୍କ ଦ୍ୱାରା ଭକ୍ତିମୟ ପରିବେଶ

  • ଶ୍ରୀ ରାମ ଚରିତ ମାନସ ମନ୍ଦିରର ୩୬ତମ ବାର୍ଷିକୋତ୍ସବ ଅବସରରେ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଡେଲି ମାର୍କେଟ ରୋଡ୍ ସ୍ଥିତ ଶ୍ରୀ ରାମ ଚରିତ ମାନସ ମନ୍ଦିରର ୩୬ତମ ବାର୍ଷିକୋତ୍ସବର ପବିତ୍ର ଅବସରରେ ଏବେ ଭବ୍ୟ ରାମଲୀଳା ଆୟୋଜିତ ହୋଇଯାଇଛି । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଜନ୍ମୋତ୍ସବ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭, ୨୦୨୬ ପର୍ଯ୍ୟନ୍ତ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ମନ୍ଦିର କମିଟିର ସୂଚନା ଅନୁଯାୟୀ, ଚଳିତ ବର୍ଷ ପ୍ରଥମ ଥର ପାଇଁ ବୃନ୍ଦାବନରୁ ଆସିଥିବା ‘ଶ୍ରୀ ବୃଜେଶ୍ୱରୀ ଲୀଳା ମଣ୍ଡଳ’ ଦ୍ୱାରା ସ୍ୱାମୀ ଶ୍ରୀ ଭାରତ ଭୂଷଣଙ୍କ କୁଶଳ ନିର୍ଦ୍ଦେଶନାରେ ସଙ୍ଗୀତମୟ ରାମଲୀଳା ପରିବେଷଣ କରାଯାଇଛି । ପ୍ରତିଦିନ ସନ୍ଧ୍ୟା ୬:୦୦ ରୁ ରାତି ୯:୦୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବୃନ୍ଦାବନର କଳାକାରମାନେ ନିଜର ଜୀବନ୍ତ ଅଭିନୟ ମାଧ୍ୟମରେ ଶ୍ରଦ୍ଧାଳୁମାନଙ୍କୁ ବିଭୋର କରୁଛନ୍ତି । ସୀତା ହରଣ ଏବଂ ସୁଗ୍ରୀବ ମିତ୍ରତା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଞ୍ଚସ୍ଥ ହୋଇଛି । ଆଗାମୀ ଦିନରେ ଲଙ୍କା ଦହନ, ବିଭୀଷଣ ଶରଣାଗତ, ଲକ୍ଷ୍ମଣ ଶକ୍ତି ଭେଦ, କୁମ୍ଭକର୍ଣ୍ଣ ବଧ ଏବଂ ରାବଣ ବଧ, ୨୬ ମାର୍ଚ୍ଚ ପ୍ରଭୁଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଏବଂ ଭବ୍ୟ ଉତ୍ସବ । ୨୭ ମାର୍ଚ୍ଚରେ ସ୍ୱତନ୍ତ୍ର ଆଧ୍ୟାତ୍ମିକ ଅନୁଷ୍ଠାନ ଅନୁଷ୍ଠିତ ହେବ । ମଧ୍ୟାହ୍ନ ୧୧:୦୦ ରୁ ୧୨:୩୦ ପର୍ଯ୍ୟନ୍ତ ଶ୍ରୀରାମ ଜନ୍ମୋତ୍ସବ, ହବନ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ପରେ ଭକ୍ତମାନଙ୍କୁ ମହାପ୍ରସାଦ ବିତରଣ କରାଯିବ । ଶ୍ରୀ ରାମ ଚରିତ ମାନସ ମନ୍ଦିର କମିଟି ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ପରିବାର ସହ ଉପସ୍ଥିତ ରହି ପ୍ରଭୁଙ୍କ ଲୀଳା ରସପାନ କରିବାକୁ ବିନମ୍ର ନିବେଦନ କରାଯାଇଛି ।

Leave A Reply

Your email address will not be published.