ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଭାଇ ଜିଉଁତିଆ ଓଷା ପାଇଁ ଉପବାସ ରଖିଛନ୍ତି ଭଉଣୀମାନେ । ଭାଇର ମଙ୍ଗଳକାମନା କରି ପଶ୍ଚିମ ଓଡ଼ିଶାର ଭଉଣୀମାନେ ଏହି ଓଷା ପାଳନ କରୁଥିବା ବେଳେ ଦଶହରା ସମୟରେ ଏହି ଓଷାର ମହତ୍ୱ ବିଶେଷ ଭାବରେ ରହିଆସିଛି । ଗ୍ରାମାଂଚଳରେ ଏହି ଓଷାର ନିଆରା ଦୃଶ୍ୟ ଏବେ ବି ଦେଖିବାକୁ ମିଳେ । ଗାଁର ସମସ୍ତ ଭଉଣୀମାନେ ଏକତ୍ରିତ ହୋଇ ଗୋଟିଏ ସ୍ଥାନରେ ପୂଜା କରନ୍ତି । ପୂଜା ସ୍ଥଳରେ ଅଷ୍ଟଭୂଜା ଦୁର୍ଗାଙ୍କ କାନ୍ଥଚିତ୍ର ଅଙ୍କା ହେଉଥିବା ବେଳେ ଏବେ ଏହି ପରମ୍ପରା ଦେଖିବାକୁ ମିଳୁଛି । ଭଉଣୀମାନେ ଦିନ ସାରା ନିର୍ଜଳା ଉପବାସ କରିବା ପରେ ସଂଧ୍ୟାରେ କାନ୍ଥଚିତ୍ର ଥିବା ସ୍ଥାନରେ ସାମୁହିକ ଭାବେ ପୂଜାର୍ଚ୍ଚନା କରିବା ପରେ ସାମାନ୍ୟ କିଛି ପ୍ରସାଦ ଗ୍ରହଣ କରନ୍ତି । ତା’ ପରଦିନ ସକାଳୁ କୌଣସି ଜଳାଶୟରେ ପୂଜା ଅର୍ଚ୍ଚନା ସାରି ନିଜ ନିଜ ଭାଇମାନଙ୍କୁ ଜିଉଁତିଆରେ ବାନ୍ଧି ବ୍ରତ ସମାପନ କରନ୍ତି । କାହିଁ କେଉଁ କାଳରୁ ଚାଲି ଆସିଛି ଏହି ପରମ୍ପରା, ପୂଜନୋତ୍ସବ । ଏହି ଓଷା ରଖିବା ସକାଶେ ଭଉଣୀମାନେ ବୃଦ୍ଧା ବୟସ ପର୍ଯ୍ୟନ୍ତ ବି ନିଜ ନିଜ ବାପଘରକୁ ଆସନ୍ତି । ସେଠାରେ ଓଷା ପାଳନ କରନ୍ତି । ଶାନ୍ତି, ମୈତ୍ରୀ, ସଦ୍ଭାବ ତଥା ଭାତୃପ୍ରେମର ନିଆରା ପର୍ବ ହେଉଛି ଭାଇ ଜିଉଁତିଆ ଓଷା । ପଶ୍ଚିମ ଓଡ଼ିଶାରେ କାହିଁ କେଉଁ କାଳରୁ ଚାଲି ଆସୁଥିବା ଏହି ପରମ୍ପରାକୁ ଏବେ ବି ଛୁଇଁ ପାରିନାହିଁ ପାଶ୍ଚାତ୍ୟ ସଭ୍ୟତାର କଳା ବାଦଲ୍ । ଆଗରୁ ଯେମିତି ଭଉଣୀମାନେ ଓଷା ପାଳୁଥିଲେ, ଏବେ ବି ସେମିତି ଓଷା ପାଳନ କରୁଛନ୍ତି ଏବଂ ଆଗକୁ ମଧ୍ୟ ଏହି ପରମ୍ପରା ଅକ୍ଷତ ଭାବେ ଆମ ସମାଜରେ ରହିବ ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି ।