
ରାଜଗାଙ୍ଗପୁର : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଘୋଘର ଗ୍ରାମରେବଜ୍ରାଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଥିସହ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ ଛତିଶଗଡ଼ ସାରଙ୍ଗଗଡ଼ ଅଞ୍ଚଳର ସେମେରାଡ଼ିହି ଗ୍ରାମର ସହଦେବ ବନଜାରୀ । ଆହତ ଜଣକ ରାହୁଲ ବନଜାରୀ (୨୩ ) । ଉଭୟ ସମ୍ପର୍କରେ ଭାଈ ବୋଲି ଜଣାପଡିଛି । ଛତିଶଗଡ଼ ଅଞ୍ଚଳରୁ ପରିବାର ସହ ଆସି ରାଜଗାଙ୍ଗପୁର ଘୋଘର ଗ୍ରାମ ନିକଟରେ ଥିବା ଏକ ଇଟା ଭାଟିରେ ସେମାନେ କାମ କରୁଥିଲେ । ଅପରାହ୍ନରେ ହଠାତ ରାଜଗାଙ୍ଗପୁର ଓ ଏହାର ଆଖପାଖ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା । ଝଡ଼ ବର୍ଷା ଦେଖି ଇଟା ଭାଟିରେ କାମ କରୁଥିବା ସହଦେବ ଓ ସାନ ଭାଇ ରାହୁଲ ଭାଟି ପରିସରରେ ଥିବା ଅସ୍ଥାୟୀ ବାସ ଗୃହକୁ ପଳାଇଯାଇଥିଲେ । ବଜ୍ରପାତରେ ସହଦେବ ଅଚେତ ହୋଇଯାଇଥିଲେ । ଅନ୍ୟ ଘରେ ଥିବା ତାଙ୍କ ସାନ ଭାଈ ରୋହିତ ମଧ୍ୟ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ରାଜଗାଙ୍ଗପୁର ସିଏଚସି ଅଣାଯାଇଥିଲା । ସେଠାରେ ଡାକ୍ତର ସହଦେବଙ୍କୁ ମୃତ ଘୋଷଣା କରିଥିବା ବେଳେ ଆହତ ରାହୁଲଙ୍କ ଚିକିତ୍ସା ଜାରି ରହିଛି ।