ଗଣ୍ଡ ଭବନର ଭିତ୍ତି ପ୍ରସ୍ତର ଦେଲେ ନରସିଂହ

  • ଶିକ୍ଷା ଓ ଏକତା ଗଣ୍ଡ ସମାଜ ପାଇଁ ଅର୍ଥନୈତିକ ବିକାଶର ବାଟ ଫିଟାଇବ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗଣ୍ଡ ଭବନର ଭିତ୍ତି ପ୍ରସ୍ତର ଦେଇଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ଅବସରରେ ନିଜ ବକ୍ତବ୍ୟରେ ସେ କହିଛନ୍ତି ଯେ, ଆଦିବାସୀଙ୍କୁ ଶିକ୍ଷା, ସଂସ୍କୃତି, ସାମାଜିକ ଓ ଅର୍ଥନୈତିକ ଦିଗରେ ସମାଜର ଅନ୍ୟ ବର୍ଗଙ୍କ ସହ ଏକ ସମତୁଳ ବିକାଶ ପାଇଁ ସମ୍ବିଧାନରେ ଆଦିବାସୀ ଦଳିତଙ୍କୁ ଅନେକ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି । ଆପଣମାନେ ନିଶ୍ଚିତ ଭାବରେ ଜାଣିଛନ୍ତି କଂଗ୍ରେସ ସରକାର ଅମଳରେ ହିଁ ଆପଣମାନେ ଏ ସୁବିଧା ସବୁ ପାଇ ଆସୁଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ବର୍ତ୍ତମାନର ରାଜ୍ୟ ସରକାର ଆପଣମାନେ ପାଉଥିବା ସମ୍ବିଧାନ ପ୍ରଦତ୍ତ ବିଭିନ୍ନ ସୁବିଧା ସୁଯୋଗରୁ ବଂଚିତ କରିବାରେ ଲାଗିଛି । ଏପରି କି ଗତ ପଞ୍ଚାୟତ ନିର୍ବାଚନରେ ପୂର୍ବରୁ କଂଗ୍ରେସ ସରକାର ଅମଳରୁ ଥିବା ସଂରକ୍ଷଣ ବ୍ୟବସ୍ଥା ଉଠେଇ ଦେଇଛି । ତେଣୁ ଆପଣମାନେ ଜାଣିବା ଦରକାର ଆପଣମାନଙ୍କର ସମାଜର ଉନ୍ନତି ପାଇଁ ହିତକାକ୍ଷୀ କିଏ । ମୁଁ ତ ନିଶ୍ଚିତ ଭାବରେ ଅନୁରୋଧ କରିବି ତାର ପ୍ରତିଶୋଧ ନେବା ପାଇଁ ଆଗାମୀ ସାଧାରଣ ନିର୍ବାଚନରେ ଆପଣମାନେ ଏହି ଆଦିବାସୀ, ଦଳିତ ବିରୋଧି ରାଜ୍ୟ ସରକାରକୁ ନିଜର ଭୋଟ ମାଧ୍ୟମରେ ଉଚିତ ଜବାବ ଦେବେ ବୋଲି ଆଜି ବଲାଙ୍ଗିର ବ୍ଲକସ୍ଥିତ ହର୍ଡାଟାଲଠାରେ ଷଡଶ ଗଣ୍ଡ ସମାଜର ଗଣ୍ଡଭବନର ଭିତ୍ତିପ୍ରସ୍ତର ପରବର୍ତ୍ତୀ ସାଧାରଣ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ ଏହି ସାଧାରଣ ସଭାରେ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣମାନଙ୍କ ଭିତରେ ଯେ ପର୍ଯ୍ୟନ୍ତ ଶିକ୍ଷାର ବିକାଶ ନ ହୋଇଛି ସେ ପର୍ଯ୍ୟନ୍ତ ଆପଣଙ୍କ ସମାଜର ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିବ ନାହିଁ । ତେଣୁ ଗତ ୧୦ ବର୍ଷ ଭିତରେ ଆଦିବାସୀଙ୍କ ଶିକ୍ଷାର ବିକାଶ ପାଇଁ ରାମଚନ୍ଦ୍ରପୁର ଏବଂ ଚୁଡାପାଲିଠାରେ ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟ ଖୋଳାଯାଇଛି । ଝାଙ୍କରପାଲିଠାରେ ଥିବା ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲକୁ ମଧ୍ୟ ମେଟ୍ରିକ ପର୍ଯ୍ୟନ୍ତ ଉନ୍ନୀତ କରାଯିବ । ଆପଣମାନଙ୍କ ଭିତରେ ଥିବା ଗରିବ ଭୂମିହୀନଙ୍କୁ ନିଶ୍ଚିତ ଭାବରେ ଜମି ଓ ବିନାମୁଲ୍ୟରେ ଘର ପ୍ରଦାନ କରାଯିବାର ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ନିଜ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବାର ଗଣ୍ଡ ଭବନର ଭିତ୍ତି ପ୍ରସ୍ତର ଦିଆଯାଇଥିଲା । ଦରକାର ପଡିଲେ ଏହି ଭବନର ଆହୁରି ବିକାଶ ପାଇଁ ଆଉ ୫ଲକ୍ଷ ଟଙ୍କାର ଅନୁଦାନ ଭବିଷ୍ୟତରେ ଦିଆଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ପୂର୍ବରୁ ଗେଡାବାଞ୍ଜି ଓ ବିଜାପାଟି ବିସ୍ଥାପନ କଲୋନିଠାରେ ସେଠାକାରେ ରହୁଥିବା ଗାଁ ଲୋକ ଓ ବିସ୍ତାପିତମାନଙ୍କ ସହ ସେମାନଙ୍କ ଅସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା । ବିସ୍ତାପିତ କଲୋନିରେ ଅନେକ ଲୋକ ସେମାନଙ୍କୁ ଦିଆଯାଇଥିବା କ୍ଷତିପୁରଣ ରାଶିରେ ପ୍ରତିଶୃତି ମୁତାବକ ପ୍ରଦାନ କରାଯାଇ ନାହିଁ ବୋଲି ଅଭିଯୋଗ କରିଥିଲେ । ଆଜି ବି ସେଠାରେ ବିସ୍ତାପିତାମାନେ ପିଇବା ପାଣି, ବିଜୁଳି, ଛୁଆମାନଙ୍କ ପାଇଁ ଅଙ୍ଗନୱାଡି, ସ୍କୁଲ କୋଠା ଭଳି ମୌଳିକ ସୁବିଧାରୁ ବଂଚିତ ଅଛନ୍ତି । ଏ ସବୁର ନିଶ୍ଚିତ ଭାବରେ ଉପଯୁକ୍ତ ଫୋରମରେ ଆଲୋଚନା ହୋଇ ସମାଧାନର ରାସ୍ତା ବାହାର କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ଗଣ୍ଡ ସମାଜର ବରିଷ୍ଠ ସଭ୍ୟ ମୁରଲିଧର ମଲ୍ଲିକ, ହରିବନ୍ଧୁ ଧରୁଆ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ଗଣ୍ଡ ସମାଜ ପ୍ରତି ସରକାରଙ୍କ କ୍ରମାଗତ ଅବହେଳାର ଆଗାମୀ ଦିନରେ ଉଚିତ ଜବାବ ଦିଆଯିବ ବୋଲି ନିଜ ଭାଷଣରେ କହିଥିଲେ । ଆଜିର ଭିତ୍ତି ପ୍ରସ୍ତର ପରବର୍ତ୍ତୀ ସଭାରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ଇଂ ବେଲାରସିଂ ଭୋଇ, ଡ. ରାଧାକାନ୍ତ ଭୋଇ, ଗଣନାଥ ଧରୁଆ, ସୀତାରାମ ଧରୁଆ, ଅନାଦି ମରପାଚି, ନିରଞ୍ଜନ ଧରୁଆ, କେଶବ ମଲ୍ଲିକ ପ୍ରମୁଖ ମଂଚାସିନ ଥିବା ବେଳେ ବଲାଙ୍ଗିର ବ୍ଲକ ଅଂଚଳର ମନହିରା, ବଘାପାଲି, ଅମାମୁଣ୍ଡା, ଝାଙ୍କରପାଲି, ଢୁଲୁସର, କଙ୍କରା, ସାରସପିଟା, ହର୍ଟାଟାଲ, ଚାଣ୍ଟିମୁଣ୍ଡା, ସିଆଲବାହାଲି, ତୁଷୁରାବାହାଲ, ଡଙ୍ଗାଘାଟ ଅଂଚଳର ସହଶ୍ରାଧିକ ଗଣ୍ଡ ସମାଜର ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.