- ମିଶନ ଶକ୍ତିର ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ମା’ଙ୍କ ଦର୍ଶନ ଲାଭକରି ଖୁସିବ୍ୟକ୍ତ କରିଛନ୍ତି
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପ୍ରାୟତଃ ଅଧିକାଂଶ ଘରର ଇଷ୍ଟଦେବୀ ଭାବେ ମା’ ତାରାତାରିଣୀ ପୂଜା ପାଇଥାନ୍ତି । ତେବେ ଦେବୀ ଭଗବତୀ ମା’ ତାରାତାରିଣୀଙ୍କ ଚୈତ୍ରପର୍ବ ତୃତୀୟ ପାଳିରେ ଦେବୀ ଦଶଭୂଜା କୃପାଳିନୀ ମା’ ମହାସରସ୍ଵତୀ ବେଶ ଧାରଣ ହୋଇଥିଲେ । ଏହି ବେଶରେ ମା’ଙ୍କୁ ଦର୍ଶନ କଲେ, ଏହି ପାଳିରେ ଶିଶୁ ସନ୍ତାନଙ୍କ ମୁଣ୍ଡନ ହେଲେ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହି ତୃତୀୟ ପାଳିରେ ସାଧାରଣତଃ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥାଏ ।
ଚୈତ୍ର ମଙ୍ଗଳବାର ଯାତ୍ରାର ଏହି ଦିନରେ ଆବାଳ ବୃଦ୍ଧବନିତାଙ୍କ ସମେତ ଲକ୍ଷାଧିକ ଭକ୍ତଙ୍କ ସମାଗମ ଅପରୂପ ସମାରୋହ ହୋଇଥିବା ସାଂଗକୁ ପାହାଡ଼ର ଚତୁଃପାର୍ଶ୍ୱ ଲୋକାରଣ୍ୟ ହୋଇପଡିଥିବାର ଦେଖା ଦେଇଥିଲା । ତୃତୀୟ ପାଳିରେ ରାତି ସାଢେ ୧୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ ପରମ୍ପରା ଅନୁସାରେ ମଙ୍ଗଳ ଆଳତି, ଅବକାଶ, ମାଜଣା, ସିଙ୍ଗାର, ଅଭିଷେକ ଆଦି ନୀତିକାନ୍ତି ସହ ପୂଜାର୍ଚ୍ଚନା ହୋଇଥିଲା । ପରେ ଦେବୀ ସଙ୍କଟହାରିଣୀ ମା’ ତାରାତାରିଣୀଙ୍କୁ ମହାସରସ୍ୱତୀ ବେଶରେ ସଜ୍ଜିତ କରାଯାଇଥିଲା । ରାତି ୩.୧୫ରେ ସାହାଣ ମେଲା ହୋଇଥିଲା । ମା’ ତାରାତାରିଣୀ ଦୁଇ ଭଉଣୀ ଏକ ଓ ଅଭିନ୍ନ ରୂପରେ ପୂଜାର୍ଚ୍ଚନା ପାଉଥିବା ଦେବୀ ମହାସରସ୍ୱତୀ ବେଶରେ ଶୃଙ୍ଖଳିତ ସହକାରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।