ଛତ୍ରପୁର ବିଇଓଙ୍କ କାର୍ଯ୍ୟାଳୟ ସ୍ଥାଣୁ ପାଲଟିଛି

  • ଦରମା ମିଳିବାରେ ବିଳମ୍ବ ନେଇ ଡିଇଓଙ୍କୁ ଭେଟିଲେ ଶିକ୍ଷକ ସଂଘ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ପ୍ରାୟତଃ ୬ ଶହ ଜଣ ବିଭିନ୍ନ ବର୍ଗର ଶିକ୍ଷକ,ଶିକ୍ଷୟିତ୍ରୀ ଅବସ୍ଥାପିତ ହୋଇଥିବା ଜଣାଯାଏ । ଏହି ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ପ୍ରତି ମାସ ୧୦ ତାରିଖ ମଧ୍ୟରେ ସେମାନଙ୍କର ମାସିକ ପ୍ରାପ୍ୟ ଦରମା ମିଳିଥାଏ । କିନ୍ତୁ ଚଳିତ ସେପ୍ଟେମ୍ବର ମାସ ୧୦ ତାରିଖ ପୁରି ଗଲାଣି, ତାଙ୍କ ଉପରିସ୍ଥ ଅଧିକାରୀ ଦରମା କଥା ଚିନ୍ତା କରି ନାହାଁନ୍ତି । ଏପଟେ ଦରମା ମିଳି ନଥିବାରୁ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ମହଲରେ ତୀବ୍ର ଅସନ୍ତୋଷର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ଗଞ୍ଜାମ ଡିଇଓ ତଥା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଳା ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଶିକ୍ଷକ ସଂଘ ଭେଟିଥିଲେ । ସେମାନଙ୍କର ଦରମା କଥା ସମ୍ପର୍କରେ ଆରୋପ କରିଥିଲେ । ସେ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ପ୍ରତିଶୃତି ଦେଇଛନ୍ତି । ପ୍ରକାଶ ଥାଉକି, ପ୍ରତିବର୍ଷ ଗୁରୁ ଦିବସ ଏବଂ ଗଣେଶ ପୂଜା ପାଳନ ବେଳକୁ ଯଦି ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କର ଦରମା ମିଳି ନଥାଏ ତେବେ ଏହି ସମସ୍ୟାର ଶିକାର ହେଉଥିବା ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ପାଇଁ ବଡ଼ ଦୁଃଖଦାୟକ କଥା ଅଟେ । ଏହି ବିଷୟକୁ ହୃଦୟଙ୍ଗମ କଲେ ଏହା ଏକ ଅତ୍ୟନ୍ତ ପରିତାପର ବିଷୟ ବୋଲି କୁହାଯାଏ । ସୂଚନା ଯୋଗ୍ୟ ଯେ, ଗତ ଅଗଷ୍ଟ ୩୧ତାରିଖ ଶନିବାର ଦିନ ସକାଳେ ଛତ୍ରପୁର ବିଇଓଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ି ଛତ୍ରପୁର ବିଇଓ ସୀତାରାମ ପାତ୍ର ତହିଁ ଆରଦିନ ଅର୍ଥାତ୍ ୧ ସେପ୍ଟେମ୍ବର ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ ହୋଇଥିଲେ । ହେଲେ ସେହି ଦିନ ଠାରୁ ଛତ୍ରପୁର ବିଇଓଙ୍କ କାର୍ଯ୍ୟାଳୟ ସ୍ଥାଣୁ ପାଲଟିଥିବା ଅଭିଯୋଗ ହୋଇଛି । କୌଣସି କିରାଣୀ, ଏବଂ ଅଫିସର୍ ପଦବୀରେ ଥିବା ସହକାରୀ ବିଇଓ ତଥା ବି.ଆର.ସି.ସି. ସଂଯୁକ୍ତା ରଥ, ସହକାରୀ ବିଇଓ ନମିତା ରାଉତଙ୍କ କଥା ତାଙ୍କରି ତଳ କର୍ମଚାରୀମାନେ ଶୁଣୁ ନ ଥିବା କୁହାଯାଏ । ଏପରିକି କୌଣସି ଅଫିସିଆଲ କାର୍ଯ୍ୟ କରିବାରେ ସକ୍ରୀୟ ସହଯୋଗ କରୁନଥିବା ଜଣା ଯାଇଛି । ଅଫିସରେ ବିଇଓଙ୍କ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବା ଅବା ଛତ୍ରପୁର ବିଇଓ ସୀତାରାମ ପାତ୍ର ଭିଜିଲାନ୍ସ ଚଢ଼ାଉ ପରେ ଗିରଫ ହେବା ପରେ ଏଠାରେ ଜରୁରୀକାଳୀନ ଭାବେ କାହାକୁ ବି ବିଇଓ ପଦବୀ ଅଭିଷିକ୍ତ କରିବା କଥା । ତାହାବି ହେବାରେ ବିଳମ୍ୱ ଘଟିଛି । ଏହା ଯେ, କୌଣସି ଉପରିସ୍ଥ ଅଧିକାରୀଙ୍କ ଦାୟିତ୍ୱ ହୀନତାର ବିଷୟ ହୋଇଛି । ଛତ୍ରପୁର ବିଇଓ ଅଫିସରେ ତୁରନ୍ତ ଜଣେ ସିନିୟର ପଦବୀଧାରୀଙ୍କୁ ବିଇଓ ପଦବୀରେ ନିଯୁକ୍ତି ଦେବା ନିହାତି ଜରୁରୀ ବୋଲି ଶିକ୍ଷକ ସଂଘ ପକ୍ଷରୁ ଦାବୀ ହୋଇଛି । ଏହା ନହେଲେ କୌଣସି କାର୍ଯ୍ୟ ଟିକିଏ ବି ଘୁଞ୍ଚି ପାରିବନି, ଛତ୍ରପୁର ବ୍ଲକ ଶିକ୍ଷା ଅଧୀନରେ ଥିବା ସମସ୍ତ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ବିଗିଡ଼ି ଯିବ ଏହାକୁ ଉଚ୍ଚ କର୍ତ୍ତୃପକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ଏ ଦିଗରେ ଧ୍ୟାନ ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.