centurian jitm

ହାଇକୋର୍ଟ ବେଞ୍ଚ ଦାବୀ ସହ ଆଇନଜୀବୀ ଓ ଜନ ସାଧାରଣ ସମ୍ମଳିତ ଭାବରେ ସ୍ୱତନ୍ତ୍ର କୋସଲ ପ୍ରଦେଶ ଦାବୀକୁ ବ୍ୟାପକ କରନ୍ତୁ : କୋସଲ ରାଜ୍ୟ ସମନ୍ୱୟ ସମିତି

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହାଇକୋର୍ଟ ବେଞ୍ଚ ଦାବୀ ସହ ଆଇନଜୀବୀ ଓ ଜନ ସାଧାରଣ ସମ୍ମଳିତ ଭାବରେ ସ୍ୱତନ୍ତ୍ର କୋସଲ ପ୍ରଦେଶ ଦାବୀକୁ ବ୍ୟାପକ କରନ୍ତୁ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି । ଆହୁରି କୁହାଯାଇଛି ଯେ, କୋସଲାଞ୍ଚଳରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବୀକୁ ନେଇ ଉପକୂଳ ଓଡିଶାର ପ୍ରଶାସନ ଦୀର୍ଘ ୪ ଦଶନ୍ଧି ହେଲା ଖେଳ ଖେଳୁଛନ୍ତି । ରାଜନୈତିକ ଦଳମାନେ ଏହି ପ୍ରସଙ୍ଗକୁ ନେଇ କୁମ୍ଭୀର କାନ୍ଦଣା କରିବା ସହ କେବଳ ନୀଚ୍ଚ ରାଜନୀତି କରୁଛନ୍ତି । ବାସ୍ତବରେ କୋସଲାଞ୍ଚଳରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବୀ ପ୍ରତି କାହାରି ଆନ୍ତରିକତା ନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କେବଳ ପତ୍ରାଳାପ କରି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ସବୁଠାରୁ ଦୁଃଖ ଦାୟକ ବିଷୟ ଏହି ଯେ ଓଡିଶା ହାଇକୋର୍ଟ ବାର ଏସୋସିଏସନ୍‌ ଏହି ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବୀକୁ ବାରମ୍ବାର ବିରୋଧ କରି ଆସୁଛି । ଏହା କେବଳ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗକୁ ନେଇ ନୁହେଁ । କୋସଳାଞ୍ଚଳର ସମସ୍ତ ବିକାଶ ଜନିତ କାର୍ୟ୍ୟକ୍ରମକୁ ବାରମ୍ବାର ଉପକୂଳ ଓଡିଶାରେ ବିରୋଧ କରାଯାଇଛି । ଦୁଃଖର କଥା ହେଲା ଏହି ଯେ, ଆମ ଅଂଚଳର ଲୋକ ପ୍ରତିନିଧିମାନେ ମଧ୍ୟ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ବାଚନିକ ମନ୍ତବ୍ୟ ରଖିବା ସହ ଏ ଅଞ୍ଚଳ ପ୍ରତି କରାଯାଉଥିବା ଉପେକ୍ଷା ବିରୁଦ୍ଧରେ ଲଢେଇ କରିବାକୁ ଆଗଭର ହେଉନାହାନ୍ତି । ଅନ୍ୟ ପକ୍ଷରେ ଏ ଅଂଚଳର ମୁକ୍ତି ଓ ବିକାଶ ପାଇଁ ସ୍ପଷ୍ଟ ସ୍ୱତନ୍ତ୍ର କୋସଲ ପ୍ରଦେଶ ଆନ୍ଦୋଳନକୁ ବିଫଳ କରିବା ପାଇଁ ଏ ଅଞ୍ଚଳର ରାଜନୈତିକ ନେତାମାନେ ହିଁ ଶତ ଚେଷ୍ଟିତ ରହୁଛନ୍ତି । ତେଣୁ ଆଜି ସମୟ ଆସିଛି ଏ ଅଂଚଳର ଜନ ସାଧାରଣ, ବୁଦ୍ଧିଜୀବୀ, ସାମାଜିକ ଓ ରାଜନୈତିକ ସଂଗଠନମାନେ ସମସ୍ତେ ଆତ୍ମ ସମୀକ୍ଷା କରିବାର । ଏ କଥା ଦିବାଲୋକ ଭଳି ସ୍ପଷ୍ଟ ଯେ ଓଡିଶାରୁ ଭିନ୍ନ ହୋଇ ସମ୍ବିଧାନର ଧାରା ଅନୁଯାୟୀ ସ୍ୱତନ୍ତ୍ର କୋସଲ ପ୍ରଦେଶ ଗଠନ ନ ହେଲା ଯାଏଁ ଏ ଅଞ୍ଚଳର ବିକାଶ ସମ୍ଭବ ନୁହେଁ । ତେଣୁ ଆଜି ଯେଉଁମାନେ ଏ ଅଂଚଳର ପ୍ରକୃତ ବିକାଶ ଚାହାନ୍ତି ସେମାନେ ଛୋଟ ଛୋଟ ପ୍ରସଙ୍ଗରେ ବିଭାଜିତ ନ ହୋଇ ଏକ ବିଶାଳ ଓ ସଂଯୁକ୍ତ କୋସଲ ମୁକ୍ତି ଆନ୍ଦୋଳନ ନୂଆଁ ଢାଞ୍ଚାରେ ଗଢି ଏହାକୁ ଗତିଶୀଳ ଓ ଚୂଡାନ୍ତ ସ୍ତର ପର୍ୟ୍ୟନ୍ତ ନେବାକୁ ଆଗଭର ହୁଅନ୍ତୁ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଆହ୍ୱାନ ଦେଇଛନ୍ତି । ଏହା ଛଡା କୋସଳାଞ୍ଚଳର ବାର ଏସୋସିଏସନ୍‌ ଓ ଆଇନଜୀବୀମାନେ କେବଳ ହାଇକୋର୍ଟ ବେଞ୍ଚ ଦାବୀରେ ନିଜକୁ ସୀମାବଦ୍ଧ ନ କରି ସ୍ୱତନ୍ତ୍ର କୋସଲ ପ୍ରଦେଶ ଆନ୍ଦୋଳନକୁ ସିଧାସଳଖ ଭାବରେ ନେତୃତ୍ୱ ଦେବାକୁ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.