ପାଇଲଟ ପ୍ରୋଜେକ୍ଟରେ ସୁନାପୁର ବେଳାଭୂମି : ଜୁରୀ କେନ୍ଦ୍ରୀୟ ପ୍ରତିନିଧି

• ଭାରତରେ ଅଦ୍ୟାବଧି ସର୍ବମୋଟ ୧୩ ଗୋଟି ବେଳାଭୂମି ପର୍ଯ୍ୟଟନ ସ୍ଥଳକୁ ବ୍ଲୁ-ଫ୍ଲାଗର ମାନ୍ୟତା ମିଳିଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଦ୍ୟାବଧି ଆମ ଭାରତର ସର୍ବମୋଟ ୧୩ ଗୋଟି ବେଳାଭୂମି ପର୍ଯ୍ୟଟନ ସ୍ଥଳକୁ ବ୍ଲୁ-ଫ୍ଲାଗର ମାନ୍ୟତା ମିଳିଛି । ସେହିପରି ଭାରତର ବେଳାଭୂମି ପର୍ଯ୍ୟଟନ ମାନଚିତ୍ରରେ ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମିକୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯିବା ନିମନ୍ତେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପ୍ରୟାସ ଜାରି ରଖିଛନ୍ତି ବୋଲି ଜଣାପଡିଛି ।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସୁନାପୁର ବେଳାଭୂମିକୁ ଅଧିକ ସୌନ୍ଦର୍ଯ୍ୟକରଣ କରିଛନ୍ତି, ଯାହା ଦେଶ ବିଦେଶର ପର୍ଯ୍ୟଟକଙ୍କ ନିମନ୍ତେ ଏହା ଅଧିକ ଆକର୍ଷଣୀୟ ପାଲଟିଛି । ସୁନାପୁର ବେଳାଭୂମିକୁ ବ୍ଲୁ-ଫ୍ଲାଗର ମାନ୍ୟତା ମିଳିବା ନିମନ୍ତେ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି । ଏନେଇ ଗତକାଲି ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କେନ୍ଦ୍ରୀୟ ପରିବେଶବିତ୍‌ ଜୁରୀ ପ୍ରତିନିଧି ମଣ୍ଡଳୀଙ୍କ ସହ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆଲୋଚନା କରିଥିଲେ । ସୁନାପୁର ବେଳାଭୂମି ଅଞ୍ଚଳ ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ସଞ୍ଚାଳନ ସଂଯୋଜକ ଡ଼. ସି. ଶ୍ରୀଜି କୁରୂପ, ଭାରତୀୟ ବ୍ଲୁ-ଫ୍ଲାଗ ଜୁରୀ ପ୍ରତିନିଧି ବିନୋଦ ଚନ୍ଦ୍ର ଚୌଧୁରୀ, ଆଞ୍ଚଳିକ ଜୁରୀ ସଦସ୍ୟ ଆଦିତ୍ୟ ରଞ୍ଜନ ମହାନ୍ତି, ଜୁରୀ ମେମ୍ବର ଡ଼. ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ଏସପି ଡ଼. ଶ୍ରବଣା ବିବେକ ଏମ୍., ଛତ୍ରପୁର ଡିଆଇବି ଡ଼ିଏସପି ଅଜୟ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରୀୟ ସଞ୍ଚାଳକ ଡ଼. ସି. ଶ୍ରୀଜି କୁରୂପ, ଭାରତୀୟ ବ୍ଲୁ-ଫ୍ଲାଗ ଜୁରୀ ପ୍ରତିନିଧି ବିନୋଦ ଚନ୍ଦ୍ର ଚୌଧୁରୀ ଦ୍ୱିତୀୟ ପର୍ଯ୍ୟାୟରେ ସାମ୍ବାଦିକଙ୍କ ସହ ବ୍ୟାଖ୍ୟା କରିବା ସହ ବିଶଦ ଆଲୋଚନା କରିଥିଲେ । ବର୍ତ୍ତମାନ ସୁନାପୁର ବେଳାଭୂମିକୁ ଏକ ପାଇଲଟ ପ୍ରୋଜେକ୍ଟରେ କାର୍ଯ୍ୟକାରୀ କରାଯାଉଛି ବୋଲି ସେମାନେ କହିଛନ୍ତି । ଭାରତର ସର୍ବମୋଟ ୧୩ ଗୋଟି ବେଳାଭୂମି ପର୍ଯ୍ୟଟନ ସ୍ଥଳକୁ ବ୍ଲୁ-ଫ୍ଲାଗର ମାନ୍ୟତା ମିଳିଥିବା ବେଳେ ଅନେକ ବନ୍ଦର ଅଞ୍ଚଳ, ବେଳାଭୂମି, ହ୍ରଦ, ସାଗର, ନଦୀତଟ ଅଞ୍ଚଳକୁ ଆଞ୍ଚଳିକ ପ୍ରଶାସନିକ ବିଭାଗର ଅବହେଳା ଏବଂ ସେଗୁଡ଼ିକର ମାନ ପୂରଣ ହୋଇପାରିନଥିବା ହେତୁ ବ୍ଲୁ-ଫ୍ଲାଗ ଜୁରୀର ମାନ୍ୟତା ମିଳିପାରିନାହିଁ ବୋଲି କୁହାଯାଇଛି । ଆମ ଦେଶର ବହୁଳ ଚର୍ଚ୍ଚିତ ଗୋଆ ବେଳାଭୂମିକୁ ଏ ପର୍ଯ୍ୟନ୍ତ ବ୍ଲୁ-ଫ୍ଲାଗର ମାନ୍ୟତା ମିଳିପାରିନାହିଁ । ବ୍ଲୁ-ଫ୍ଲାଗ ଜୁରୀର ମାନ୍ୟତା ନିମନ୍ତେ ୩୭ ଗୋଟି ଗାଇଡ଼ଲାଇନ୍‌ ପୂର୍ଣ୍ଣତାପ୍ରାପ୍ତି କରିବା ଆବଶ୍ୟକ ବୋଲି ଆମ ପ୍ରତିନିଧିଙ୍କ ପ୍ରଶ୍ନରେ ଶ୍ରୀ ଚୌଧୁରୀ କହିଛନ୍ତି । ଏହି ଦୁଇ ପରିବେଶବିତ୍‌ କେନ୍ଦ୍ରୀୟ ପ୍ରତିନିଧି କହିଛନ୍ତି ଯେ, ଉପରୋକ୍ତ ତଟଭୂମି, ବେଳାଭୂମିର ରକ୍ଷଣାବେକ୍ଷଣ, ସ୍ୱଚ୍ଛତା, ସୁନ୍ଦର ପରିବେଶ, ସୌନ୍ଦର୍ଯ୍ୟକରଣ ଓ ପୂର୍ଣ୍ଣ ଶୃଙ୍ଖଳିତ ସ୍ଥାନ ଭାବେ ବିବେଚିତ ହୋଇ ୩୭ଟି ଗାଇଡ଼ଲାଇନ୍‌ ପୂର୍ଣ୍ଣତା ହାସଲ କରିବା ଆବଶ୍ୟକ ବୋଲି ଉକ୍ତ ପରିବେଶବିତ କେନ୍ଦ୍ରୀୟ ପ୍ରତିନିଧିମାନେ କହିଛନ୍ତି । ଯାହାକି ଉକ୍ତ ଆଦ୍ରଭୂମି, ତଟଭୂମି ଭାରତୀୟ ପର୍ଯ୍ୟଟନ କ୍ଷେତ୍ରରେ ବ୍ଲୁ-ଫ୍ଲାଗ ଜୁରୀର ମାନ୍ୟତା ମିଳିବ ବୋଲି କହିଛନ୍ତି । ଭାରତର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଜଗନ୍ନାଥ ଧାମ ତଥା କ୍ଷୀରସାଗର ପୁରୀ ବେଳାଭୂମିକୁ ଭାରତର ବ୍ଲୁ-ଫ୍ଲାଗ ଜୁରୀ ଗାଇଡ଼ଲାଇନ୍‌ରେ ଗତ ଦୁଇବର୍ଷ ହେଲା ମାନ୍ୟତାପ୍ରାପ୍ତ ହୋଇଛି । ଏହା ଆମ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି । ସେହିପରି ଆମ ଭାରତର ଗୁଜୁରାଟର ଶିବରାଜ-ଏମ୍, ଡିଉର ଗୋଶାଳା, କର୍ଣ୍ଣାଟକର କସରପୁର ଓ ପଡୁଗୁଡ଼ି, ତାମିଲନାଡୁର କୋଭାଲାମ, ପଣ୍ଡିଚେରୀର ଇଡେନ, ଆଣ୍ଡାମାନର ରାଧାନଗର ବିଚ୍, ଆନ୍ଧ୍ରପ୍ରଦେଶର ଋଷିକୁଣ୍ଡା ପ୍ରମୁଖ ଆଦ୍ରଭୂମି ପର୍ଯ୍ୟଟନ ଅଞ୍ଚଳକୁ ଭାରତର ବ୍ଲୁ-ଫ୍ଲାଗ ଜୁରୀର ମାନ୍ୟତା ମିଳିଛି । ଆଗକୁ ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମିକୁ ମଧ୍ୟ ଏହି ବ୍ଲୁ-ଫ୍ଲାଗ ଜୁରୀର ମାନ୍ୟତା ମିଳିବା ପାଇଁ ପ୍ରଶାସନ ଉଦ୍ୟମ ଜାରୀ ରଖିଛନ୍ତି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.