jayashree

ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ପ୍ରସଙ୍ଗ

  • ଜମି ଅଧିଗ୍ରହଣ କରି କେତେ କ୍ଷତି ହେଲା ବିଭାଗ ପାଖରେ ତଥ୍ୟ ନାହିଁ
  • ସମ୍ପୂର୍ଣ ତଥ୍ୟ ଦେବାକୁ ସରକାର ଅମଙ୍ଗ : ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନୀଲ ଅଗ୍ରୱାଲ ଫାଉଣ୍ଡେସନର ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ସମୁଦାୟ ୪୬୮୮ ଏକର ୧୯ ଡେସିମିଲ ଜମି ଅଧିଗ୍ରହଣ କରାଯାଇଥିବା ତଥ୍ୟ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଜମି ଅଧିଗ୍ରହଣ ବିଭାଗ ପକ୍ଷରୁ ରାଜ୍ୟର ବିଶିଷ୍ଠ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ସୂଚନା ପ୍ରଦାନ କରାଯାଇଛି । ଏହା ମଧ୍ୟରୁ ୪୧୭୮ ଏକର ୯୨ ଡେସିମିଲ ଘରୋଇ ଜମି ଅଧିଗ୍ରହଣ କରାଯାଇଥିବାବେଳେ ୫୦୯ ଏକର ୨୭ ଡେସିମିଲ ସରକାରୀ ଜମି ରହିଥିବା ତଥ୍ୟରେ କୁହାଯାଇଛି । ଜମି ଅଧିଗ୍ରହଣ ବାବଦକୁ ରାଜ୍ୟ ରାଜସ୍ୱରୁ କେତେ ଟଙ୍କା ଖର୍ଚ୍ଚ କରାଯାଇଥିଲା ଏହି ତଥ୍ୟ ସମ୍ପୃକ୍ତ କାର୍ଯ୍ୟାଳୟରେ ଉପଲବ୍ଧ ନଥିବା ତଥ୍ୟରେ କୁହାଯାଇଛି । ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅଧିଗ୍ରହଣ କରାଯାଇଥିବା ଜମିରୁ କେତେ ଜମି ସମ୍ପୃକ୍ତ ଲୋକଙ୍କୁ ଫେରାଇ ଦିଆଯାଇଛି ଏହାକୁ ନେଇ ମଧ୍ୟ କୌଣସି ତଥ୍ୟ ଦିଆଯାଇ ନାହିଁ । ସୂଚନା କର୍ମି ଶ୍ରୀ ପଣ୍ଡା ଜଣାଇଛନ୍ତି ଯେ, ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର ଅଧିଗ୍ରହଣ କରିଥିବା ଜମି ସଂକ୍ରାନ୍ତିୟ ତଥ୍ୟ ପାଇଁ ସେ ଓଡିଶା ସରକାରଙ୍କ ରାଜସ୍ୱ ବିଭାଗର ପ୍ରମୁଖ ଶାସନ ସଚିବଙ୍କ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନ ଯୋଗେ ଆବେଦନ କରିଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଏହି ତଥ୍ୟ ନଥିବା କୁହାଯାଇ ପଣ୍ଡାଙ୍କ ଆବେଦନକୁ ଇଡକୋ ଓ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଇଡକୋ ଓଡିଶା ପକ୍ଷରୁ ଏକ ତଥ୍ୟରେ ବେଦାନ୍ତ ପାଇଁ କୌଣସି ଜମି ଅଧିଗ୍ରହଣ କରାଯାଇ ନଥିବା ତଥ୍ୟ ଦିଆଯାଇଥିବା ବେଳେ ସମାନ ତାରିଖ ଏବଂ ପତ୍ର ସଂଖ୍ୟା ରହିଥିବା ଆଉ ଏକ ପତ୍ରରେ ଏଭଳି ତଥ୍ୟ ନାହିଁ ବୋଲି ସୂଚନା ପ୍ରଦାନ କରାଯାଇଛି । ଅନ୍ୟ ପକ୍ଷରେ ପୁରୀ ଜଲ୍ଲାପାଳଙ୍କ କାର୍ଯ୍ୟାଳୟର ଜମି ଅଧିଗ୍ରହଣ ବିଭାଗ ମଧ୍ୟ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିନାହିଁ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ କରାଯାଇଥିବା ଜମି ଅଧିଗ୍ରହଣକୁ ରଦ୍ଧ କରିଛନ୍ତି । ଜମି ଅଧିଗ୍ରହଣକୁ ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଧ କରିଥିଲେ ମଧ୍ୟ ଜମି ଅଧିଗ୍ରହଣକୁ ନେଇ ଜନହିତରେ ସମସ୍ତ ତଥ୍ୟକୁ ସାର୍ବଜନୀନ କରିବା ପାଇଁ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ସୂଚନା କର୍ମି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.