oom

ଘସିଏନ ଦେବୀ କୃଷକ ଉତ୍ପାଦକ କମ୍ପାନୀର ବ୍ୟବସାୟ କେନ୍ଦ୍ର ବରଗାଁଠାରେ ଉଦ୍‌ଘାଟିତ

  • ଛୋଟ ଚାଷୀଙ୍କୁ ମିଳିବ ବଡ଼ ବଜାର, ୧.୫ କୋଟି ଟର୍ଣ୍ଣଓଭର ଲକ୍ଷ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାର ଏବଂ ନାବାର୍ଡ ପ୍ରୋତ୍ସାହିତ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଥିବା ଘସିଏନଦେବୀ କୃଷକ ଉତ୍ପାଦକ କମ୍ପାନୀ ଲିଃ, ପ୍ରଥମ ବ୍ୟବସାୟିକ ଆଉଟଲେଟ୍‌ ଆଜି ଉଦ୍‌ଘାଟନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ତାଲୁକଦାର ଉପସ୍ଥିତ ଥିଲେ । ତାଙ୍କ ସହିତ ନାବାର୍ଡ ବଲାଙ୍ଗିର ଜିଲ୍ଲା ବିକାଶ ପ୍ରବନ୍ଧକ ଡ଼ା. ବିବେକ କୁମାର ନାୟକ, ମହାଶକ୍ତି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଓ ଏଫ ପି ଓ ର ନିର୍ଦ୍ଦେଶକ ମଣ୍ଡଳୀର ସଦସ୍ୟମାନେ ମଞ୍ଚାସୀନ ଥିଲେ । ବ୍ୟବସାୟିକ କେନ୍ଦ୍ରର ସାର ଏବଂ ବିହନ ଗୋଦାମକୁ ଉଦ୍‌ଘାଟନ କରିବା ପରେ ଉପସ୍ଥିତ ସଭାକୁ ସମ୍ବୋଧନ କରି ଶ୍ରୀ ତାଲୁକଦାର କହିଥିଲେ କି, “ଚାଷୀମାନେ ପ୍ରାଥମିକତା ହେବା ଉଚିତ, ସେମାନଙ୍କ ଉତ୍ପାଦକୁ ସଂଗ୍ରହ କରି ଉପଯୁକ୍ତ ବଜାର ଯୋଗାଇବା ଓ ଲାଭରେ ଲାଭାଂଶ ଦେବା ଏହି ଏଫ ପି ଓ ର ଦାୟିତ୍ୱ ଏବଂ କର୍ତ୍ତବ୍ୟ – ଏହିଠାରେ ହିଁ ଏଫ୍‌ପିଓ ମଡେଲ୍‌ର ସଫଳତା ଲୁଚିଛି । ” ସେ ଏଫ୍‌ପିସିଏଲ୍‌ର କାର୍ଯ୍ୟକଳାପକୁ ପ୍ରସଂଶା କରିବା ସହିତ ଏହି କମ୍ପାନୀର ଭବିଷ୍ୟତ ଲକ୍ଷ୍ୟପ୍ରତି ସହଯୋଗର ଆଶ୍ୱାସନ ଦେଲେ । ଏହି ଅବସରରେ ଅତିଥିମାନେ ଏଫ୍‌ପିସିଏଲ୍‌ର ସାର ଓ ବିହନ ଗୋଦାମକୁ ବୁଲି ଦେଖି ଥିଲେ ଏବଂ ଚାଷୀଙ୍କ ପାଇଁ ଉପଲବ୍ଧ ସାଧନ ସମ୍ପର୍କରେ ପଚାରି ବୁଝି ଥିଲେ । ବିଗତ ଆର୍ଥିକ ବର୍ଷ ୨୦୨୪-୨୫ରେ ଘସିଏନଦେବୀ ଏଫ୍‌ପିସିଏଲ୍‌ ୮୦ ଲକ୍ଷ ଟଙ୍କାଠାରୁ ଅଧିକ ଟର୍ଣ୍ଣଓଭର କରିଛି ଏବଂ ଏହି ବର୍ଷ ପାଇଁ ୧.୫ କୋଟି ଟଙ୍କା ଟର୍ଣ୍ଣଓଭର ଲକ୍ଷ୍ୟ ରଖିଛି । ଏଫ୍‌ପିସିଏଲ୍‌ର ସିବିବିଓ ଭାବରେ କାର୍ଯ୍ୟରତ ମହାଶକ୍ତି ଫାଉଣ୍ଡେସନ ଏହି ଉପଲବ୍ଧିକୁ ଚାଷୀଙ୍କ ପରିଶ୍ରମ ଓ ସାମୁହିକ ପ୍ରୟାସର ଫଳ ବୋଲି କହିଛି । ଏହି ବ୍ୟବସାୟ କେନ୍ଦ୍ର ଚାଷୀମାନେ ତାଙ୍କର ଉତ୍ପାଦ ବିକ୍ରୟ କରିବା, ଗୁଣବତ୍ତାଯୁକ୍ତ କୃଷି ଇନପୁଟ୍ ପାଇବା ଓ ନୂଆ ପ୍ରଯୁକ୍ତି ସହିତ ଜୁଡିବାରେ ସାହାଯ୍ୟ କରୁଛି । ଅନୁଷ୍ଠାନରେ ଅଞ୍ଚଳର ଅନେକ ଚାଷୀ ପ୍ରତିନିଧି, ଅନ୍ୟାନ୍ୟ ଏଫ୍‌ପିସି ଦଳର ସଦସ୍ୟ ଓ ଅନେକ ସ୍ଥାନୀୟ ନାଗରିକ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.