ଗଞ୍ଜାମ ଏନଏସି କାଉନସିଲର ବୈଠକ ବାତିଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏସି କାଉନସିଲର ବୈଠକ ସୋମବାର ହେବା ନେଇ ପୂର୍ବରୁ ସ୍ଥିର ହୋଇଥିଲା । ଏନେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଏନଏସି ଜନ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା । ଛତ୍ରପୁର ବିଧାୟକ ମଧ୍ୟ ବୈଠକରେ ଯୋଗ ଦେବା ପାଇଁ ଏନଏସି କାର୍ଯ୍ୟାଳୟରେ ପହଂଚି ଥିଲେ । କିନ୍ତୁ ହଠାତ୍‌ ବିଧାୟକ କୌଣସି କଥାକୁ ନେଇ ବିରକ୍ତ ପ୍ରକାଶ କରିବା ସହ ଚାଲିଯାଇଥିଲେ । ଏଥିସହ ବିଧାୟକ ଶ୍ରୀ ବେହେରା ନିଜ ଗାଡି ପାଖରେ ନିଜ ଦଳୀୟ କାଉନସିଲରମାନଙ୍କ ସହ ସହରର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରୁଥିବା ବେଳେ ସେହି ସମୟରେ ଏନଏସି କର୍ମଚାରୀ ଦସ୍ତଖତ ନିମନ୍ତେ ଖାତା ବଢ଼ାଇ ଥିଲେ । ଫଳରେ ବିଧାୟକ ବେହେରା ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିବା ସହ ଏନଏସି କାର୍ଯ୍ୟାଳୟରୁ ଚାଲିଯାଇଥିବା ଲକ୍ଷ କରାଯାଇଥିଲା । ତାଙ୍କରି ସଙ୍ଗେ ସଙ୍ଗେ କାଉନସିଲର ବୈଠକକୁ ଯୋଗ ନଦେଇ ଫେରିଯିବା ଦେଖିବାକୁ ମିଳିଛି । ଅନ୍ୟପଟେ ସହରରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ବିଲ୍‌ ଉଦ୍ଦେଶ୍ୟମୂଳକ ଭାବେ କରାଯାଉନଥିବା ଉପନଗରପାଳ ସୁରେନ୍ଦ୍ର କୁମାର ବାରିକିଙ୍କ ସମେତ କାଉନସିଲରମାନେ ଗଣମାଧ୍ୟମକୁ କହିଛନ୍ତି । ସହରରେ ନୂତନ ଭାବେ ନିର୍ମାଣ ହେଉଥିବା ବିଭିନ୍ନ ପ୍ରକଳ୍ପ ବିଲ୍‌ ପ୍ରଦାନ କରା ଯାଉନାହିଁ । ଯାହା ଫଳରେ ଠିକାଦାରମାନେ ପ୍ରକଳ୍ପ କାର୍ଯ୍ୟ କରିବା ନେଇ ଅନିଚ୍ଛା ପ୍ରକାଶ କରୁଥିବା ଉପନଗରପାଳ ଶ୍ରୀ ବାରିକି ଗଣମାଧ୍ୟମକୁ କହିଛନ୍ତି । ଯେ ପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ବୈଠକରେ ଯୋଗ ଦେବୁ ନାହିଁ ବୋଲି କାଉନସିଲରମାନେ କଡା ଚେତାବନୀ ଦେଇଛନ୍ତି । ଏନେଇ ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ପ୍ରତିକ୍ରିୟା ନେବାରେ କ’ଣ ପାଇଁ ବୈଠକ ବାତିଲ ହେଲା ସେ ସମ୍ପର୍କରେ ମୋ ପାଖରେ କୌଣସି ସୂଚନା ନାହିଁ, ବୈଠକ ହୋଇଥିଲେ ବିଭିନ୍ନ ନୂତନ ପ୍ରକଳ୍ପମାନଙ୍କର ଅନୁମୋଦନ ହୋଇପାରିଥାନ୍ତା ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.