
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗ୍ରୀଷ୍ମ ପ୍ରବାହ କରାଳ ରୂପ ଆରମ୍ଭରୁ ଲୋକମାନେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଗଞ୍ଜାମ ବ୍ଲକର ବିଭିନ୍ନ ଅଂଚଳରେ ବର୍ତ୍ତମାନ ପାନୀୟ ଜଳ ସମସ୍ୟା ଦେଖା ଦେଇଛି । ପ୍ରଶାସନ ନିଘୋଡ଼ ନିଦରେ ସୋଇଛି ଯାହାଫଳରେ ଲୋକମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ପ୍ରତି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁନଥିବା ବେଳେ ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକତା ନାହିଁ ଫଳରେ ସାଧାରଣ ଲୋକଙ୍କୁ ଅସୁବିଧା ଭୋଗ କରିବାକୁ ପଡୁଛି । ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତର ପୋଡାମପେଟା ଓ ଡି ଆର ପି କଲୋନୀରେ ଏବେ ଏହି ସମସ୍ୟା ଦେଖାଦେଇଛି । ଯୋଗାଣ ହେଉଥିବା ପାନୀୟ ଜଳ ବସୁଧା ଯୋଜନାରେ ତାହା କିଛି ଦିନ ହେଲା ଖାରି ପାଣି ଯୋଗୁଁ ବିଭାଗୀୟ କର୍ତ୍ତୃପକ୍ଷ ବନ୍ଦ କରିଦେଇଛନ୍ତି । ଯାହାକୁ ନେଇ ଲୋକଙ୍କ ଖରାଦିନେ ସମସ୍ୟା ଦ୍ଵିଗୁଣ ହୋଇଛି । ପାନୀୟ ଜଳ ପାଇଁ ଲୋକଙ୍କୁ ବଟେଶ୍ୱର ମନ୍ଦିର ନିକଟରେ ଥିବା ନଳକୂପ ହିଁ ବର୍ତ୍ତମାନ ଭରସା ହୋଇଛି । ଉକ୍ତ କଲୋନୀରେ ୩୭୫ ପରିବାର ମତ୍ସ୍ୟଜୀବି ସମ୍ପ୍ରଦାୟର ସମସ୍ତ ପରିବାର ହୋଇଥିବା ଯୋଗୁଁ ପୁରୁଷ ମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଯାଉଥିବା ଯୋଗୁଁ ମହିଳା ମାନେ ଚାରି କିମି ଯାଇ ପାନୀୟ ଜଳ ଆଣୁଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି ଏହି ସମସ୍ୟା ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ । ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ହେଲା ମେଗା ପାନୀୟ ଜଳ ପ୍ରକଳ୍ପ ବସୁଧା ମାଧ୍ୟମରେ ପାନୀୟ ଜଳ ଯୋଗାଣ ବନ୍ଧ ରହିଛି । ଏହି ଯୋଜନାରେ ଗଞ୍ଜାମ ବ୍ଲକ ର ୫୫ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ହେଉଥିଲା । ତାହା ଏବେ ବନ୍ଦ ହୋଇଯାଇଥିବାରୁ ପାନୀୟ ଜଳ ବୁନ୍ଦାଏ ପାଇଁ ଲୋକେ ଜଟିଳ ସମ୍ମୁଖୀନ ହେଉଥିବାସ ପରିଲକ୍ଷିତ ହୋଇଛି । ତୁରନ୍ତ ବିଭାଗିୟ କର୍ତ୍ୟୁପକ୍ଷ ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ବିଭିନ୍ନ ମହଲରେ ଦାବୀ ହେଉଛି ।