ସଇଁତଲାରେ ବସୁଧା ଯୋଜନା ଫେଲ : ଉଦ୍‌ଘାଟନ ୨ ବର୍ଷ ପରେ ମଧ୍ୟ ମିଳିଲା ନାହିଁ ପାଣି, ସାଧାରଣରେ ଅସନ୍ତୋଷ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲରେ ଥିବା କଅସରପଡାର ଓଭର ଟ୍ୟାଙ୍କ ଗତ ୦୨/୦୬/୨୦୨୧ ମସିହାରେ ୬୬ ଲକ୍ଷ ୨୯ ହଜାର ଟଙ୍କା ଅଟକଳ ବ୍ୟୟରେ ପାନୀୟ ଜଳ ପ୍ରକଳ୍ପକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଲୋକେ ପାଣି ବୁନ୍ଦାଏ ଓଭର ଟ୍ୟାଙ୍କରୁ ପାଇ ନାହାନ୍ତି ବୋଲି ଅଭିଯୋଗ ହେଉଛି । ଯାହା ଫଳରେ ଲୋକଙ୍କ ମନରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହି ପ୍ରକଳ୍ପଟି ବର୍ତ୍ତମାନ ପର୍ଯ୍ୟନ୍ତ ଜନସାଧାରଣ କାର୍ଯ୍ୟରେ ଆସୁନ ଥିବା ଅଭିଯୋଗ ହୋଇଛି । ଏ ନେଇ ସଇଁତଲା ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ଇତିଶ୍ରୀ ଦେହୁରିଙ୍କୁ ପଚାରିବାରୁ କିଛି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ଯୋଗୁଁ ଏଭଳି ସମସ୍ୟା ଦେଖା ଦେଇଥିବା କହିଛନ୍ତି । ତେବେ ମନ୍ତ୍ରୀ ଏଭଳି ପ୍ରକଳ୍ପକୁ କାହିଁକି ତରବରିଆ ଭାବରେ ଉଦ୍‌ଘାଟନ କରିଥିଲେ ତାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଅନେକ ପ୍ରଶ୍ନ ଉଠୁଛି । ଏ ନେଇ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତଙ୍କୁ ପଚାରିବାରୁ ଜିଲ୍ଲା ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ସହିତ କଥା ହେଉଛି ବୋଲି ପ୍ରକାଶ କରିଥିଲେ । ଅନ୍ୟପଟେ ସଇଁତଲା ସରପଞ୍ଚ ସୁବ୍ରତ ନାଗ ଯାଦବଙ୍କୁ ପଚାରିବାରୁ ମନ୍ତ୍ରୀ ପ୍ରତିନିଧିଙ୍କ ସହିତ ଏ ସମ୍ପର୍କ ଆଲୋଚନା କରିଛି ଯଦି ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏଣୁ ପ୍ରଶାସନ ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରି ପାନୀୟ ଜଳ ଯୋଗାଣ ସୁବ୍ୟବସ୍ଥା କରିବା ପାଇଁ ସଇଁତଲା ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.