ଗଞ୍ଜାମ ଜିଲ୍ଲାରେ ହଟୁନି ସାମାଜିକ ବାସନ୍ଦ ଭଳି ପ୍ରଥା

  • ଜିଲ୍ଲା ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନରେ ଅଦ୍ଭାବ ପରିଲିଖିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡ଼ିଜିଟାଲ ଯୁଗରେ ମଧ୍ୟ ପ୍ରଚଳିତ ଅଛି ଗଞ୍ଜାମ ଜିଲ୍ଲାରେ ସାମାଜିକ ବାସନ୍ଦ ଭଳି ପ୍ରଥା ଯାହା ସ୍ୱାଭାବିକ ଭାବେ ଚାଲିଛି । ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଗ୍ରାମାଞ୍ଚଳରେ ଏବଂ ଉପାନ୍ତ ଅଞ୍ଚଳରେ କୁଳୀନ ସଂଘ ସାମାଜ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ଜାତି, କୁଳ, ସମ୍ପ୍ରଦାୟମାନଙ୍କରେ ବାସନ୍ଦ ପ୍ରଥା ଏବେ ବି ବହୁଳ ପ୍ରଚଳିତ ହୋଇ ଆସିଛି । ଯାହାକି ଏହି ବାସନ୍ଦ ପ୍ରଥାକୁ ନେଇ ବହୁ ବସ୍ତି, ବାସିନ୍ଦାର ଲୋକେ ଅନେକ ନିର୍ୟାତନାର ଶିକାରରେ ସଡ଼ି ଆସୁଥିବା ଜଣାଯାଏ । ଗ୍ରାମ କୁଳ ସମାଜରେ ଆର୍ଥିକ- ଜୋରିମାନା, ପରିବାର ମିଶ୍ରଣରେ ବିଚ୍ଛେଦ ଭଳି ଦଣ୍ଡ ଭୋଗ କରିବାକୁ ପଡୁଛି ।
ଗୁରୁବାର ଏଭଳି ଏକ ଅଭିଯୋଗ ଆସିଛି, ସମ୍ପ୍ରତି ଗଞ୍ଜାମ ଜିଲ୍ଲାର ପୋଲସରା ସହରରୁ ଗୋଟିଏ ପରିବାରର ବାପା, ପୁଅ, ଝିଅ ତିନି ଜଣ ଅନ୍ଧ, ମାଆ ଭିନ୍ନକ୍ଷମ, ସହ ସକ୍ଷମ ବୋହୂ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଛନ୍ତି । ଏହି ପରିବାରକୁ କୁଳୀନ ସମାଜ ସଂଘ ପକ୍ଷରୁ ଦୀର୍ଘ ଆଠ ବର୍ଷ ହେଲା ବାସନ୍ଦ କରାଯାଇଛି । ଗଞ୍ଜାମ ଏସ୍‌ପି ଶ୍ରୀ ଜଗମୋହନ ମୀନାଙ୍କୁ ଭେଟି ଘରର ମୁରବୀ ଅଭିମନ୍ୟୁ ସାହୁ, ପୁତ୍ର, ପରୀକ୍ଷିତ ସାହୁଙ୍କ ସମେତ ପରିବାର ସମୂହ ହାରି ଗୁହାରି ଜଣାଇଛନ୍ତି ।
ଆମକୁ ଉଚିତ୍‌ ନ୍ୟାୟ ପ୍ରଦାନ କରି ସାମାଜିକ ବାସନ୍ଦରୁ ଆମକୁ ମୁକ୍ତି ଦିଆଯାଉ ବୋଲି ଅଳି କରିଥିଲେ । କୁଳୀଣ ଜାତିରେ ସାମାଜିକ ବାସନ୍ଦ ଭଳି ସମସ୍ୟାର ଶିକାର ହେଉଥିବା ବ୍ୟକ୍ତି, ପରିବାର ବହୁ ବାର ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି । ସାମାଜିକ ବାସନ୍ଦ ପ୍ରଥା ଉପରେ ପ୍ରଶାସନ କଡ଼ା-ପଦକ୍ଷେପ ନେଇ ଏହି ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ଜରୁରୀ ବୋଲି ମତ ପ୍ରକାଶ ପାଉଛି ।

ଅନ୍ୟ ପକ୍ଷରେ ଗ୍ରାମ କୁଳ ସମାଜରେ ଆର୍ଥିକ- ଜୋରିମାନା, ପରିବାର ମିଶ୍ରଣରେ ବିଚ୍ଛେଦ କରିବା, ଗାଁରେ ବ୍ୟବସାୟ କରିବାରେ ବାଧକ ସୃଷ୍ଟି କରିବା, ଜମି ବିକ୍ରି ନକରାଇବା, ଜମିରେ ଚାଷ ବାସ ନକରିବା ଭଳି ଦଣ୍ଡ ଦେଉଥିବା କୁହାଯାଏ । ଯାହାକି ଏଭଳି ସମସ୍ୟାର ଶିକାର ହେଉଥିବା ବ୍ୟକ୍ତି, ପରିବାର ପ୍ରଶାସନର ଦ୍ୱାରସ୍ଥ ହେବାରେ ମଧ୍ୟ କଷ୍ଟକର ହୋଇଛି । ସେମାନେ ପ୍ରଶାସନକୁ ଜଣାଇବା ପାଇଁ ମଧ୍ୟ ଭୟ କରୁଛନ୍ତି । ଯଦି ପ୍ରଶାସନର ଦ୍ୱାରସ୍ଥ ହେବେ ତେବେ ସେହି ପରିବାରକୁ ପୂର୍ବରୁ ତାଗିଦ-ପୂର୍ଣ୍ଣ ଅନେକ ଧମକ ଦେଉଛନ୍ତି । ଏ ଦିଗରେ ସରକାର ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ନେଇ ଏକ ଫେମିଲ ସେଫ୍ଟି କମିଟି ଗଠନ କରିବା ଜରୁରୀ ବୋଲି ବିଭିନ୍ନ ମହଲରେ ପ୍ରସ୍ତାବ ଆସୁଛି । ତେଣୁ ସରକାର ତଥା ଜିଲ୍ଲାପ୍ରଶାସନ ଏଦିଗରେ ତ୍ୱରାନ୍ୱିତ କଲେ ବହୁ ଅଞ୍ଚଳର ବହୁ ପରିବାର ନିରାପଦ ରହିବେ ଏବଂ ସୁଖୀ ପରିବାର ଭାବେ ଉପକୃତ ହେବେ ବୋଲି କୁହାଯାଏ ।

Leave A Reply

Your email address will not be published.