- ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଥିବା ଭରସାଯୋଗ୍ୟ ଓ ବହୁମୂଲ୍ୟ ସଂପର୍କ କଥା ଦୋହରାଇଲେ ଉଭୟ ନେତା
- ଦ୍ୱିପାକ୍ଷିକ ସହଯୋଗିତାକୁ ଆହୁରୁ ସୁଦୃଢ କରିବା ଉପରେ ଉଭୟ ନେତାଙ୍କ ଆଲୋଚନା
ଭୁବନେଶ୍ୱର, (ପିଆଇବି) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ଡିକ୍ ସ୍କୁଫ । ଉଭୟ ନେତା ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଥିବା ଭରସାଯୋଗ୍ୟ ଓ ବହୁମୂଲ୍ୟ ସଂପର୍କକୁ ଦୋହରାଇଥିଲେ ଯାହାକି ଗଣତନ୍ତ୍ର ଓ ଆଇନର ଶାସନ ପରି ସମାନ ମୂଲ୍ୟବୋଧ ଓ ବିଶ୍ୱାସ ଉପରେ ପର୍ଯ୍ୟବସିତ । ଦୁଇଦେଶ ମଧ୍ୟରେ ବର୍ତ୍ତମାନ ଥିବା ସହଯୋଗିତାକୁ ଜଳ, କୃଷି ଓ ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଆହୁରି ସୁଦୃଢ କରିବାକୁ ଉଭୟ ନେତା ଆଲୋଚନା କରିଥିଲେ । ଏହାସହିତ ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ସୁଦୃଢ କରିବାକୁ ଓ ବିବିଧ କ୍ଷେତ୍ର ଯେପରିକି ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା, ଉଦ୍ଭାବନ, ଗ୍ରୀନ ହାଇଡ୍ରୋଜେନ ଓ ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ଥିବା ସଂପର୍କକୁ ରଣନୈତିକ ସହଯୋଗିତାରେ ପରିଣତ କରିବାକୁ ଉଭୟ ରାଜି ହୋଇଥିଲେ । ଆହୁରି ମଧ୍ୟ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସଂପର୍କ ଓ ଆଦାନ ପ୍ରଦାନ ଉପରେ ଉଭୟ ନେତା ଗୁରୁତ୍ୱ ଦେଇଥିଲେ । ଉଭୟ ନେତା ଆଞ୍ଚଳିକ ଓ ବୈଶ୍ୱିକ ଘଟଣାକ୍ରମ ଉପରେ ଆଲୋଚନା କରିବା ସହ ଶାନ୍ତି, ସୁରକ୍ଷା, ସହଯୋଗିତା ଓ ସ୍ଥିରତା ବୃଦ୍ଧି ନିମନ୍ତେ କାର୍ଯ୍ୟ କରିବାକୁ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ । ପରସ୍ପର ସହ ଯୋଗାଯୋଗ ବଜାୟ ରଖିବାକୁ ଉଭୟ ନେତା ସହମତ ହୋଇଥିଲେ ।