
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ ବିଧାୟକ । ଜିଲ୍ଲା ସମୀକ୍ଷା ବୈଠକରେ ସମସ୍ତ ବିଭାଗକୁ ନେଇ ସମୀକ୍ଷା କରିଥିବା ବେଳେ କଥା ବେଶୀ କାମ କମ୍ କରୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବଲାଙ୍ଗିର ବିଧାୟକ କଳିକେଶ ନରାୟଣ ସିଂଦେଓ । ତେବେ ସବୁଠୁ ବେଶୀ ଶିକ୍ଷା ବିଭାଗକୁ ଦେଇଥିଲେ କଡ଼ା ନିର୍ଦ୍ଦେଶ । କହିଥିଲେ ଆଉ ଆଲୋଚନା କରନ୍ତୁ ନାହିଁ । ଏଣିକି ଛୁଟି ପରେ ଡିଇଓ, ବିଇଓ ଏବଂ ହେଡ୍ ମାଷ୍ଟର ସ୍କୁଲ ଟଏଲେଟ୍ ବ୍ୟବହାର କରନ୍ତୁ । ସେଠି ପାଣି, ବିଦ୍ୟୁତ ବିନା ପିଲାମାନେ କେମିତି ହଟହଟା ହେଉଛନ୍ତି ଜାଣିବେ ଏବଂ ମୋତେ ଜଣାଇବେ । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକରେ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଦୀର୍ଘ ୬ ମାସ ପୂର୍ବରୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଧାୟକ ଶିକ୍ଷା ବିଭାଗକୁ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳରେ ଥିବା ସ୍କୁଲରେ ବାଳିକା ଶୌଚାଳୟ ଗୁଡ଼ିକରେ ବିଦ୍ୟୁତ ଓ ପାଣି ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ମାଗିଥିଲେ । ସେତେବେଳେ ମଧ୍ୟ ବିଭାଗର ଅଧିକାରୀ ତଥ୍ୟ ସଂଗ୍ରହ କରୁଛୁ ବୋଲି କହୁଥିଲେ । ହେଲେ ପୁଣି ବୈଠକରେ ବିଧାୟକ ସେ ସଂପର୍କରେ ପଚାରିଥିବା ବେଳେ ଡିଇଓ ଓ ତାଙ୍କ କର୍ମଚାରୀ ମାନେ କୌଣସି ସ୍ପଷ୍ଟ ଉତ୍ତର ନଦେବାରୁ ବିଧାୟକ ତାଗିଦ୍ କରିବା ସହ କଥା ଛଳରେ ଶିକ୍ଷା ବିଭାଗ ଅଧିକାରୀଙ୍କୁ ଛୁଟି ପରେ ସ୍କୁଲ ଟଏଲେଟ୍କୁ ଯିବାକୁ କହିଥିଲେ । ସେହିପରି ଏନଏଚ ବିଭାଗ ଓ ମାଇନିଂ ବିଭାଗକୁ ମଧ୍ୟ ତଥ୍ୟ ମାଗିଥିଲେ, ହେଲେ ତାହା ମଧ୍ୟ ଦେଇନଥିଲେ ଅଧିକାରୀ । ଯୋଗାଣ ବିଭାଗ କରିଥିବା କାମର ତାଲିକା ମାଗିବାରୁ ତାହା ମଧ୍ୟ ଦେଇନଥିଲେ । ତେବେ ଏସବୁକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ । ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ଏବେ ବହୁ ବିଭାଗର କାମ ଠପ୍ ହୋଇଯାଇଛି । ଲୋକ ହଇରାଣ ହେଉଛନ୍ତି । କାହାକୁ ଅଭିଯୋଗ କଲେ ଶୁଣୁ ନାହାନ୍ତି । କେହି ତେବେ ଏଭଳି ପରିସ୍ଥିତିରେ ସରକାରଙ୍କୁ ଦାୟୀ କରିବା ସହ ସମାଧାନ ବାଟ ବାହାର ନକଲେ ବିଧାନସଭାରେ ଜବାବ ଦିଆଯିବ ବୋଲି କହିଛନ୍ତି ।