ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକୋତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପଞ୍ଚଦଶତମ ବାର୍ଷିକୋତ୍ସବ ଅନୁଷ୍ଠାନ ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି । ପରିଚାଳନା ସମିତି ସଭାପତି ବିମଲ ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଡ଼ ମୁକେଶ ମହାଲିଙ୍ଗ ଏବଂ ମୁଖ୍ୟ ବକ୍ତା ଭାବେ ବଲାଙ୍ଗିର ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଅଜିତ କୁମାର ପଣ୍ଡା ଯୋଗଦେଇ ଶିଶୁଙ୍କ ଚରିତ୍ର ଗଠନରେ ପିତାମାତାଙ୍କ ଭୂମିକା ତଥା ଦେଶର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବାରେ ଶିଶୁ ମନ୍ଦିର ସମେତ ଶିକ୍ଷା ବିକାଶ ସମିତିର ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ । ଶିଶୁ ମନ୍ଦିର ପରିଚାଳନା ସମିତି ଯୁଗ୍ମ ସମ୍ପାଦକ ବିଶ୍ଵନାଥ ଷଡଙ୍ଗୀ ପ୍ରାରମ୍ଭିକ ସୂଚନା ସମେତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କରୋନା ସମୟରେ ପ୍ରାଣ ହରାଇଥିବା ବିଦ୍ୟାଳୟର ଆଚାର୍ଯ୍ୟ ସ୍ୱର୍ଗତ ସରୋଜ ବେହେରା ଏବଂ ବାହନ ଚାଳକ ପୁରନ୍ଦର ବିଶିଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ କୋଷାଧ୍ୟକ୍ଷ ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପରେ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଶତାଧିକ ଦର୍ଶକ ତଥା ଅଭିଭାବକ ମନଭରି ଉପଭୋଗ କରିଥିଲେ ।

jittmm
Leave A Reply

Your email address will not be published.